‘ମୋ ସରକାର’ରେ କେତେ ଟି?

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଓଡ଼ିଶା ଶାସନକୁ ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଆଯାଇଥିବା ୩-ଟି ମନ୍ତ୍ରରେ ଆଉ ଦୁଇଟି ଟି ଯୋଡ଼ା ଯାଇଥିଲା ନିର୍ବାଚନ ପରେ ଓ ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନାମିତ କରାଗଲା। ତାହାର ତଦାରଖ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଜଣେ ସଚିବ […]

4578

4578

Debendra Prusty
  • Published: Friday, 04 October 2019
  • Updated: 06 October 2019, 08:32 AM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଓଡ଼ିଶା ଶାସନକୁ ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଆଯାଇଥିବା ୩-ଟି ମନ୍ତ୍ରରେ ଆଉ ଦୁଇଟି ଟି ଯୋଡ଼ା ଯାଇଥିଲା ନିର୍ବାଚନ ପରେ ଓ ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନାମିତ କରାଗଲା। ତାହାର ତଦାରଖ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଜଣେ ସଚିବ ନିଯୁକ୍ତ ହେଲେ। ଏହି ସଚିବ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଏ ମହାଶୟଙ୍କୁ କେହି କେହି ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ଭାବେ ଚିତ୍ରିତ କରନ୍ତି ତ କେହି କେହି ଏହାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିମୋଟ କଣ୍ଟ୍ରୋଲ, ମୁଖ୍ୟ ମାର୍ଗଦର୍ଶକ, ବିଜେଡି ସରକାରଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜୁ ଜନତା ଦଳର ଚିଫ୍‌ ଅପରେଟିଂ ଅଫିସର ଆଦି ପଦବୀରେ ମଣ୍ଡନ କରିଥାନ୍ତି। ଏହି ୫-ଟିର ଗୋଟିଏ ଗୋଟିଏ ଟି ହେଉଛି ୧. ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା, ୨. ଟୋକ୍ନୋଲୋଜି ବା ପ୍ରଯୁକ୍ତି, ୩. ଟିମୱାର୍କ ବା ଦଳବଦ୍ଧତା, ୪. ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଏବଂ ୫. ଟାଇମ ଲିମିଟ ବା ସମୟବଦ୍ଧତା। ପଞ୍ଚମ ଦଫା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର କିଛି ଦିନ ଭିତରେ ୨୦୧୯ ଜୁଲାଇ ମାସରେ ପ୍ରଥମ ତିନିଟି ଟି ସହିତ ଆଉ ଦୁଇଟି ଟି ଯୋଡ଼ି ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡି ନେତା ଓ ଓଡ଼ିଆ ଗଣମାଧ୍ୟମ ଅନୁସାରେ ଏହା ହେଉଛି ନବୀନ ସରକାରଙ୍କ ମନ୍ତ୍ର।

ଏହି ମହାମନ୍ତ୍ର ଅନୁସାରେ ତାଙ୍କ ସରକାରର ସବୁ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ସେହି ଅନୁସାରେ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କାର୍ଯ୍ୟକ୍ରମ ଭାବେ ଉପସ୍ଥାପିତ ହୋଇଥିବା ଏହି କୌଶଳର ସଠିକ ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଶାସନ ଓ ପ୍ରଶାସନରେ ତାଙ୍କର ସବୁଠୁ ବିଶ୍ୱସ୍ତ ସହକର୍ମୀ ପାଣ୍ଡିଆନଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି। ସରକାର ଯଦି ୫-ଟି ଅନୁସାରେ କାର୍ଯ୍ୟ କରିବ ତେବେ ପ୍ରତମ ଟି ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ରହିବ। ସ୍ୱଚ୍ଛ ସରକାର ଅର୍ଥାତ ନିର୍ମଳ ଶାସନ। ସରକାରରେ ଯଦି ଦୁର୍ନୀତି ହୁଏ, ଦଲାଲ ରହନ୍ତି, ପିସି କାରବାର ହୁଏ, ଅନେକ କଥା ଗୁପ୍ତରେ କରାଯାଏ ବା କିଛି ଲୁଚାଇ ଦିଆଯାଏ ତେବେ ତାହା ସ୍ୱଚ୍ଛତା ନୁହେଁ। ଏକ ଗାଣତନ୍ତ୍ରିକ ସରକାର ସ୍ୱଚ୍ଛ ରହିବା ପ୍ରଥମ ସର୍ତ୍ତ। ଲୋକଙ୍କ ଭୋଟ୍‌ ଓ ନୋଟ୍‌ରେ ସରକାର ଚାଲୁଥିବାରୁ ଲୋକମାନଙ୍କୁ ସବୁ କଥା ଜଣେଇବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ଗାଣତନ୍ତ୍ରିକ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ। ତାଙ୍କ ସରକାର କ’ଣ ଲୋକଙ୍କୁ ଉତ୍ତର ଦେବେ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଉତ୍ତର ଦେବାକୁ ପଡ଼ିବ ବୋଲି ଗଲା ୨୦ ବର୍ଷ ଭିତରେ ଥରେ ହେଲେ ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି। ସ୍ୱଚ୍ଛତା ନୀତି  ଓ ସୂଚନା ଅଧିକାର ଆଇନ ଅନୁସାରେ ସରକାର ସବୁ ତଥ୍ୟ ଓ ସୂଚନା ସାର୍ବଜନୀନ କରିବେ। ଓଡ଼ିଶା ସରକାରଙ୍କର ସବୁ ବିଭାଗର ୱେବସାଇଟ୍‌ ନିୟମିତ ଅପଡେଟେଡ୍‌ ହୁଏ ନାହିଁ କି ସବୁ ବିଭାଗର ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ତଥ୍ୟ ଓ ନଥିପତ୍ର ସେଥିରେ ପ୍ରକାଶିତ ହୁଏ ନାହିଁ।

ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତିର ବିପ୍ଳବ ମାଡ଼ି ଚାଲିଛି। କିନ୍ତୁ ଓଡ଼ିଶା ସରକାର ସେହି ପ୍ରଯୁକ୍ତି ବ୍ୟବହାର କରି ଲୋକଙ୍କ ପାଖରେ ପହଂଚିବା ଏଯାଏଁ ସମ୍ଭବ ହେଲା ନାହିଁ। ସୂଚନା ପ୍ରଯୁକ୍ତି ବ୍ୟବହାର କରି ନବୀନ ପଟ୍ଟନାୟକ ଶାସନ ଲୋକମାନଙ୍କୁ ଖଣି ଲିଜ୍‌, ଲଘୁ ଖଣି ଲିଜ୍‌ ଓ ବେପାର, ପୂର୍ତ୍ତ ଓ ଜଳସଂପଦ ଆଦି ବିଭାଗର ଠିକା କାମ, ସରକାରୀ ଯୋଗାଣ ଆଦି ସଂପର୍କରେ ଅନେକ ତଥ୍ୟ ନିଜ ଆଡ଼ୁ ସାର୍ବଜନୀନ କରିପାରନ୍ତେ। ମାତ୍ର, ଅନେକ ସ୍ଥଳେ ସରକାର ଏସବୁ ବିଷୟକ ତଥ୍ୟ ସମସ୍ତେ ଜାଣନ୍ତୁ ବୋଲି ଚାହାନ୍ତି ନାହିଁ। କାରଣ ଏସବୁ କାର୍ଯ୍ୟରେ ଦୁର୍ନୀତି ଓ ଲାଞ୍ଚ କାରବାର ହୋଇଥାଏ। ନବୀନ ଶାସନ ସ୍ୱଚ୍ଛତାରେ ବିଶ୍ୱାସ କରୁଥିଲେ ଖଣି ଦୁର୍ନୀତି ଓ ଚିଟି ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ମାମଲାକୁ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିରୋଧ କରି ନଥାନ୍ତେ। ସରକାର ତ ସ୍ୱଚ୍ଛ, ସିବିଆଇ କ’ଣ ତଦନ୍ତ କରିବ କରୁ, ଭୟ କାହିଁକି?

ଦୁର୍ନୀତି ହୋଇଥିଲେ ସିନା ସିବିଆଇ ପ୍ରମାଣ ପାଇବ? ହେଇନଥିଲେ କ’ଣ ପ୍ରମାଣ ରାନ୍ଧି ବାହାର କରିବ? ସେ ଯାହା ହେଉ, ଏଇ ସ୍ୱଚ୍ଛ ସରକାରରେ ପିସି କାରବାର ହୁଏ ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିଲେ ଏବଂ ତାହା ଏଯାଏଁ ବନ୍ଦ ହୋଇନାହିଁ। ପୁଣି ରାଜ୍ୟ ଶାସନ ଓ ପ୍ରଶାସନର କେତେକ ବିଭାଗରେ ଦଲାଲ ଅଛନ୍ତି ବୋଲି ୨୦ ବର୍ଷ ଶାସନ କଲା ପରେ ମୁଖ୍ୟମନ୍ତ୍ରୀ ଜାଣିଲେ ଓ ତାହା ବନ୍ଦ କରିବାକୁ ଏବେ ସାମୟିକ ଅଭିଯାନ ଚାଲିଛି। ଆଉ ୬ ମାସ ପରେ ଦଲାଲ ଗିରଫ ଅଭିଯାନ ଚାଲିଥିବ କି ନାହିଁ ସନ୍ଦେହ।

ସ୍ୱଚ୍ଛତା ହେଉଛି ସତ୍ୟ ପ୍ରକାଶ ପ୍ରତି ନିଷ୍ଠା। ଯାହା ମିଛ ତାହାକୁ ଘୋଡ଼େଇ ପକାଇବା ସ୍ୱଚ୍ଛତା ନୁହେଁ। ଯାହା ସତ୍ୟ ତାହାକୁ ସାର୍ବଜନୀନ କରିବା ହିଁ ସ୍ୱଚ୍ଛତା। ସାଧାରଣ ଅର୍ଥରେ ଅଳିଆ ସଫା କରିବାକୁ ସ୍ୱଚ୍ଛତା କୁହାଯାଏ। ସେହିପରି ସରକାରରୁ ଅଳିଆ ସଫା କରିବା ହେଉଛି ସ୍ୱଚ୍ଛତା। ସେଥିପାଇଁ ଶାସନ ଓ ପ୍ରଶାସନରୁ ସର୍ବୋଚ୍ଚ ସ୍ତରରୁ ଏହି ନୀତି କାର୍ଯ୍ୟକାରୀ ହେବା କଥା। କିନ୍ତୁ ଦେଖାଯାଉଛି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅନେକ ଅଳିଆ ଠୁଳ କରାଯାଉଛି। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଡକାୟତଙ୍କୁ ସହଯୋଗ କରି ପ୍ରଥମେ ନିଲମ୍ବିତ ଏବଂ ପରେ ପୁରସ୍କୃତ ହୋଇଥିବା ଆଇପିଏସ ଅଫିସର ସଂଜୀବ ମାରିକଙ୍କ ସଂପର୍କରେ ତତ୍କାଳୀନ ଲୋକପାଳ ପ୍ରସ୍ତୁତ କରିଥିବା ଏକ ଫାଇଲ୍‌କୁ କାଳେ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଚାପି ଦେଇଛନ୍ତି। ଓଡ଼ିଶା ରାଜ୍ୟପାଳଙ୍କ ଦପ୍ତରରୁ ଏପରି ସନ୍ଦେହ କରାଯାଉଛି। ରାଜ୍ୟ ପ୍ରଶାସନରେ ଥିବା ଅନ୍ୟୁନ ୧୨ ଜଣ ବଡ଼ ବଡ଼ ଅଫିସରଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ଭିଜିଲାନ୍ସ ବିଭାଗ ପଠାଇଥିବା ଫାଇଲ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଚପେଇ ରଖିଛି, ଅନୁମତି ଦେଉନାହିଁ। ଏଭଳି ଉଦାହରଣ ଅକଳଣ।

ସ୍ୱଚ୍ଛତା ଅଭିଯାନ ଘରୁ ଆରମ୍ଭ ହୁଏ। ନିଜ ଘରେ ଅଳିଆ ପକେଇ ରଖି ପଡ଼ୋଶୀଙ୍କ ଅଳିଆ ଗନ୍ଧଉଛି ବୋଲି ସମାଲୋଚନା କରିବା ସ୍ୱଚ୍ଛତା ନୁହେଁ। ଏହି ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ତୃତୀୟ ମହଲାର ଅଫିସରମାନେ କାୟମନବାକ୍ୟରେ ଅନୁସରଣ କରିବା ପରେ ମନେହେଉ ନାହିଁ। ନିକଟରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ନାମକ ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସରକାରୀ ସେବା ପହୁଂଚାଇବାରେ କେଉଁଠି କ’ଣ ତ୍ରୁଟିବିଚ୍ୟୁତି ହେଉଛି ତାହା ଜାଣିବା ପାଇଁ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଟେଲିଫୋନ କରି ବୁଝିବେ ବୋଲି ଘୋଷଣା କରାଗଲା।

ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ହେଲା ଅନେକ ଆଡ଼ମ୍ବର। ଲକ୍ଷଲକ୍ଷ ଟଙ୍କାର ପ୍ରଚାର। କିନ୍ତୁ ମୁଖ୍ୟମନ୍ତ୍ରୀ ଟେଲିଫୋନରେ କେଉଁ ଗାଁ ବା କଲୋନୀର କେଉଁ ଲୋକ ସହିତ କଥା ହେଲେ ତାହା କେହି ଜାଣିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ଯେଉଁ ଭିଡ଼ିଓ ଜାରି ହେଲା ତାହା ଥିଲା ଏକ ସଂପାଦିତ ଭିଡ଼ିଓ। ମୁଖ୍ୟମନ୍ତ୍ରୀ ‘ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି..’ ସଂଳାପ ପରେ କଟ୍‌। ତା’ ପରେ ପୁଣି ତାଙ୍କରି କଥା। ଆର ପଟ ଫୋନ୍‌ରେ କେହି ଅଛନ୍ତି କି ନାହାନ୍ତି, ସେ କ’ଣ କହୁଛନ୍ତି କି ନାହିଁ, ତାହାର କୌଣସି ସୂଚନା ବା ଦୃଶ୍ୟ ଏହି ଭିଡ଼ିଓରେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାହିଁଥିଲେ ଫୋନ୍‌ର ଭଏସ୍‌ ବା ସାଉଣ୍ଡ ଅନ୍‌ କରି ଆର ପଟ କଥାଟା ଶୁଣାଇ ପାରିଥାନ୍ତେ। ତାହା କରାଯାଇ ନଥିବାରୁ ଏହି ଭିଡ଼ିଓକୁ ସମସ୍ତେ ସନ୍ଦେହ କଲେ। ବିରୋଧୀ କହିଲେ, ଏହା କେବଳ ମିଛର ପ୍ରଚାର। ଏମିତି ସମାଲୋଚନା ଶୁଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରରୁ ପୁଣି ଗୋଟେ ଖବର ଆସିଲା ଯେ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି ଓ ମୁଖ୍ୟମନ୍ତ୍ରୀ ଆଉ ସମସ୍ତଙ୍କ ସହିତ କଥା ହେବେ ନାହିଁ। ସେ ଅଳ୍ପ କିଛି ଲୋକଙ୍କ ସହିତ କଥା ହେବେ ଓ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ଲୋକମାନଙ୍କ ସହିତ କଥା ହେବେ।

ଏହା ପ୍ରମାଣିତ କଲା ଯେ ଗାଇଡ଼୍‌ଲାଇନ୍‌ ପ୍ରସ୍ତୁତ ନକରି ବା ଜାରି ନକରି ନବୀନବାବୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଠିକ ପୁରୀ ଉଚ୍ଛେଦ କାର୍ଯ୍ୟକ୍ରମ ପରି। ପୁରୀ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଗେ ଘୋଷଣା କଲେ। ଭଙ୍ଗାଭଙ୍ଗି ଆରମ୍ଭ ହେଲା। ଲୋକେ ବିରୋଧ କଲେ। ସରକାର କହିଲେ କ୍ଷତିପୂରଣ ଦେବୁ ଓ ଥଇଥାନ କରିବୁ। ବିରୋଧ ଥମିଲାନି। ସରକାର କହିଲେ ଆଲୋଚନା କରିବୁ। ସବୁ ପକ୍ଷଙ୍କ ସହିତ ଆଲୋଚନା ହେଲାନାହିଁ। ପ୍ୟାକେଜ ଘୋଷଣା ହେଲା। ଲୋକେ ସୁପ୍ରିମ କୋର୍ଟ ଗଲେ। ସୁପ୍ରିମ କୋର୍ଟ କହିଲେ, ଆଇନ ଅନୁସାରେ ସବୁ ହେଉ। ସରକାର ମଠମନ୍ଦିର ଭାଙ୍ଗିବାର ମାସାଧିକ ସମୟ ପରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ଜାରି କଲେ ଓ ସେ ବାବଦକୁ ୪୦ କୋଟି ଟଙ୍କା ମଂଜୁର କଲେ। ଅର୍ଥାତ ପୁରୀ ପରି ଧାର୍ମିକ ଓ ଆଧ୍ୟାତ୍ମିକ ସହରର ମୁଖ୍ୟ ଅଂଶ ଭାଙ୍ଗିବା ପାଇଁ ବି ନବୀନ ସରକାର ଆଇନ ବାଟରେ ଯାଇ ନଥିଲେ, ଧରା ପଡ଼ିବାରୁ ବେଆଇନ କାମକୁ ଆଇନାନୁମୋଦିତ କରିବା ଉଦ୍ୟମ ଆରମ୍ଭ ହୋଇଛି।

ସରକାରଙ୍କ ୫-ଟି ଅଧୀନସ୍ତ ‘ମୋ ସରକାର’ ଠିକ ଏଇପରି ଏକ ଓଲଟା କାର୍ଯ୍ୟକ୍ରମ। ପ୍ରଚାର ସର୍ବସ୍ୱ ଚିନ୍ତାଧାରାର ଲୋକମାନେ ଏମିତି ଅନେକ ଦେଖାଣିଆ କାମ କରିଥାନ୍ତି। ଦେଶ ଓ ରାଜ୍ୟ ସ୍ତରରେ ଶାସନ ଓ ପ୍ରଶାସନର ସର୍ବୋଚ୍ଚ ପଦରେ ଥିବା ଲୋକମାନେ ସେପରି ନକରିବା ସମସ୍ତଙ୍କ ପାଇଁ ମଙ୍ଗଳକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos