ପାଣି ପାଇଁ ଡହଳବିକଳ ହେଉଥିଲେ; ତିଆରି କଲେ ବାଲି ବନ୍ଧ

ନୂଆପଡ଼ା (ମାୟାଧର ସରାଫ୍): ଏବେ ଶୀତ ଋତୁ ଚାଲିଛି। ଆଗକୁ ଆସିବ ଗ୍ରୀଷ୍ମ ଋତୁ। ନଈ, ନାଳ ଓ କୂଅ- ସବୁଠି ପାଣି ଶୁଖିଯିବ। ଆଉ ପାଣି ଟୋପାଏ ପାଇଁ ମଣିଷଠୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଡହଳବିକଳ ହେବେ। ବର୍ଷ ବର୍ଷ ଧରି ଏମିତି ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଏଥିରୁ ମୁକ୍ତ ପାଇବା ପାଇଁ ନୂଆପଡ଼ା ଜିଲ୍ଲା ସିନାପାଲିର ‘ଉଦନ୍ତୀ ଯୁବକ ସଂଘ’ର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି। ଗାଁ ପାଖ ଦେଇ ଯାଇଥିବା […]

nuapada

nuapada

Jyoshna Pradhan
  • Published: Monday, 20 January 2020
  • Updated: 20 January 2020, 01:47 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ଏବେ ଶୀତ ଋତୁ ଚାଲିଛି। ଆଗକୁ ଆସିବ ଗ୍ରୀଷ୍ମ ଋତୁ। ନଈ, ନାଳ ଓ କୂଅ- ସବୁଠି ପାଣି ଶୁଖିଯିବ। ଆଉ ପାଣି ଟୋପାଏ ପାଇଁ ମଣିଷଠୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଡହଳବିକଳ ହେବେ। ବର୍ଷ ବର୍ଷ ଧରି ଏମିତି ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଏଥିରୁ ମୁକ୍ତ ପାଇବା ପାଇଁ ନୂଆପଡ଼ା ଜିଲ୍ଲା ସିନାପାଲିର ‘ଉଦନ୍ତୀ ଯୁବକ ସଂଘ’ର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି। ଗାଁ ପାଖ ଦେଇ ଯାଇଥିବା ଉଦନ୍ତୀ ନଦୀରେ ମାଟି ଓ ବାଲି ବସ୍ତା ପକାଇ ୩୦୦ ମିଟରର ଏକ ଆଡ଼ିବନ୍ଧ ତିଆରି କରି ନଦୀକୁ ବାନ୍ଧିଛନ୍ତି ଜଳ ସଂରକ୍ଷଣ କରିଛନ୍ତି।

ସିନାପାଲି ତଥା ଆଖପାଖ ଗାଁର ଲୋକେ ଗାଧୁଆପାଧୁଆଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ଉଦନ୍ତୀ ନଦୀ ଉପରେ ନିର୍ଭର କରିଥା’ନ୍ତି। ହେଲେ ଫେବ୍ରୁଆରୀ ମାସ ପରେ ନଦୀ ପାଣି ଶୁଖି ଯାଉଥିବାରୁ ଖରା ମାସରେ ଲୋକେ ପାଣି ପାଇଁ ହଇରାଣ ହୁଅନ୍ତି। ତେଣୁ ଖରା ମାସରେ ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବା ପାଇଁ ‘ଉଦନ୍ତୀ ଯୁବକ ସଂଘ’ର ୫୦ ଜଣ ଯୁବକ ଏକାଠି ହୋଇ ଉଦନ୍ତୀ ନଦୀରେ ବାଲି ବନ୍ଧ କରି ପାଣିକୁ ଅଟକାଇବାକୁ ଚିନ୍ତା କଲେ। ଆଉ ନିଜସ୍ୱ ଚେଷ୍ଟାରେ ସେମାନେ ବାଲି ବନ୍ଧ ତିଆରି କରିଛନ୍ତି।

ସଂଘର ସଭାପତି ସୁରଜ କୁମାର ମେହର କହିଛନ୍ତି, “ଫେବ୍ରୁଆରୀ ମାସ ହେଲେ ପାଣି ପାଇଁ ଆମ ଅଞ୍ଚଳର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିଲାଗି ଆମ ଯୁବକ ସଂଘର ସଦସ୍ୟମାନେ ଶ୍ରମ ଦାନ କରି ବନ୍ଧ ବାନ୍ଧିଛନ୍ତି। ଏଥିଯୋଗୁ ଆମ ଗାଁ ଓ ଆଖପାଖ ଅଞ୍ଚଳର ଲୋକେ ସୁବିଧାରେ ପାଣି ପାଇପାରିବେ। ଏହି ନଦୀ ଉପରେ ପ୍ରାୟ ୫ ହଜାର ଲୋକ ନିର୍ଭର କରିଥା’ନ୍ତି। ତେବେ ସବୁ ବର୍ଷ ଖରାଦିନ ହେଲେ ପାଣି ପାଇଁ ଲୋକେ ଅସୁବିଧା ହେଉଥିବାରୁ ଆମ ଯୁବକସଂଘ ତରଫରୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଇ ଏହି ବାଲି ବନ୍ଧ କରାଯାଇଛି।”

ଉଦନ୍ତୀ ଯୁବକ ସଂଘର ସଭ୍ୟ କିଷନ ଲାଲ୍‌ ମହେର କହିଛନ୍ତି, “ଏହି ନଦୀ ଉପରେ ପିଇବା ପାଣି ଠାରୁ ଆରମ୍ଭ କରି ଗାଧୁଆପାଧୁଆ ଯାଏ ଲୋକେ ନିର୍ଭର କରିଥା’ନ୍ତି। ତେବେ ଖରାମାସ ହେଲେ ନଦୀର ପାଣି ଶୁଖି ଯାଉଛି। ଫଳରେ ପିଇବାକୁ ମଧ୍ୟ ପାଣି ମିଳେ ନାହିଁ। ତେଣୁ ବହୁତ ଲୋକ ହଇରାଣ ହୁଅନ୍ତି।  ଖରାଦିନେ କିପରି ଲୋକେ ସୁବିଧା ପାଣି ପାଇ ପାରିବେ, ସେ ନେଇ ଚିନ୍ତା କରି ଆମ କ୍ଲବ୍‌ ପକ୍ଷରୁ ନଦୀରେ ବନ୍ଧ ବନ୍ଧାଯାଇଛି।”

ଏହି ଯୁବକ ସଂଘର ନିଆର ପ୍ରୟାସରେ ସହାୟତାର ହାତ ବଢ଼ାଇଥିଲା  ନୂଆପଡ଼ା ନେହରୁ ଯୁବ କେନ୍ଦ୍ର। ଏଥିସହ ଯୁବକମାନଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ଖୁବ୍‌ ପ୍ରଶଂସା କରିଛନ୍ତି।

ସିନାପାଲି ବାସିନ୍ଦା ତପନ ସା କହିଛନ୍ତି, “ଉଦନ୍ତୀ ନଦୀ ବର୍ଷା ଦିନ ଫୁଲି ଯାଏ। ହେଲେ ଏପ୍ରିଲ ମାସ ହୋଇଗଲେ ପାଣି ବୁନ୍ଦେ ମିଳେନାହିଁ। ଖାଲି ବାଲି ଗଦା ଦେଖିବାକୁ ମିଳେ। ପାଣି ଟୋପାଏ ପାଇବା ପାଇଁ ଗାଈଗୋରୁ ସମେତ ଅନ୍ୟାନ୍ୟ ପଶୁପକ୍ଷୀ ଡହଳବିକଳ ହୁଅନ୍ତି। ଚଳିତ ବର୍ଷ ଆମ ସିନାପାଲି ଉଦନ୍ତୀ ଯୁବକ ସଂଘର ପିଲାମାନେ ନିଜେ ପରିଶ୍ରମ କରି ପାଣିକୁ ଏବେଠୁ  ଅଟକାଇଛନ୍ତି। ଏହି ପାଣି ରହିବା ଦ୍ୱାରା ସିନାପାଲି ଆଉ ତା’ପାଖ ଅଞ୍ଚଳର ସବୁ ଲୋକ ଉପକୃତ ହେବେ।”

ନୂଆପଡ଼ା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସମ୍ପାଦକ ଆଶିଷ କୁମାର ଠାକୁର କହିଛନ୍ତି, “ନିଜ ଗାଁର ଓ ଅଞ୍ଚଳର ପାଣିର ସମସ୍ୟା ସମ୍ପର୍କକୁ ହୃଦ୍‌ବୋଧ କରି ଯୁବକମାନେ ଉଦନ୍ତୀ ନଦୀରେ ବନ୍ଧ ବାନ୍ଧିଛନ୍ତି। ତେଣୁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

‘ଉଦନ୍ତୀ ଯୁବକ ସଂଘ’ର ଉଦ୍ୟମ ଏତିକିରେ ସରିଯାଇନି। ଆଗାମୀ ଦିନରେ ଉଦନ୍ତୀ ନଦୀର ଅନ୍ୟ ଘାଟମାନଙ୍କରେ ବି ବାଲିବନ୍ଧ କରିବାକୁ ସେମାନେ ଚିନ୍ତା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos