ମାନବିକତା ଆଗରେ ହାର ମାନିଛି ଦାରିଦ୍ର୍ୟ; ଦିବ୍ୟାଙ୍ଗ ‘ଜାନକୀ’ଙ୍କ ପାଇଁ ଜନକ ପାଲଟିଛନ୍ତି ପାଣୁଆ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍‌ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ଚକୁରିଆ ଗାଁରେ ରହନ୍ତି ପାଣୁଆ ସିଦ୍ଧୁ। ସେ ଦିନ ମଜୁରିଆ ଭାବେ କାମ କରନ୍ତି। ସ୍ତ୍ରୀ କଇରା ସିଦ୍ଧୁ, ବୁଢ଼ୀ ମାଆ, ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ମୂଲ ଲାଗି ଯେଉଁ ଟଙ୍କା ଆଣନ୍ତି, ସେଥିରେ ତାଙ୍କ ପରିବାର ଚଳେ। ତେବେ ପାଣୁଆଙ୍କ ସାତ ପ୍ରାଣୀ କୁଟୁମ୍ବ ଭିତରେ ରହିଛନ୍ତି ପାଳିତ କନ୍ୟା ‘ଜାନକୀ’, ଯାହାଙ୍କୁ ସେ ୮ ବର୍ଷ ତଳେ ବାଟଗାଁ ବସଷ୍ଟାଣ୍ଡ ପାଖ ଜଙ୍ଗଲ ନିକଟରେ କାନ୍ଦୁଥିବା ଦେଖି ଘରକୁ ନେଇ ଆସିଥିଲେ। ତା’ପରଠୁ ଜାନକୀ ପାଣୁଆଙ୍କ ପରିବାରର ସଦସ୍ୟ ପାଲଟି ଯାଇଛନ୍ତି।

ଜାନକୀ ଚାଲି ପାରନ୍ତି ନାହିଁ, କିନ୍ତୁ ପାଣୁଆଙ୍କ ପରିବାର ଲୋକେ କେବେ ତାଙ୍କୁ ଅଣଦେଖା କରି ନାହାନ୍ତି। ପାଣୁଆଙ୍କ ସ୍ତ୍ରୀ କଇରା ଦିବ୍ୟାଙ୍ଗ ଝିଅ ଜାନକୀଙ୍କୁ ପାଇ ବେଶ୍ ଖୁସି ଅଛନ୍ତି। ଜାନକୀଙ୍କୁ  ୮ ବର୍ଷ ତଳେ ତାଙ୍କ ଭାଇ ଜଙ୍ଗଲରେ ଛାଡ଼ି ଚାଲିଯାଇଥିବା କୁହାଯାଉଛି।

ପାଣୁଆ ସିଦ୍ଧୁ କହିଛନ୍ତି, “କାମ କରିବାକୁ ଯାଉଥିଲି। ବସ୍‌ଷ୍ଟାଣ୍ଡ ନିକଟ ଜଙ୍ଗଲ ପାଖରୁ ଝିଅଟିକୁ ପାଇ ଘରକୁ ନେଇ ଆସିଥିଲି। ତାକୁ ମୁଁ ଝିଅ ଭାବେ ପାଳି ପୋଷି ରଖିଛି। ମୁଁ ଦିନ ମଜୁରିଆ ଭାବେ କାମ କରେ।  ୩୦୦ ଟଙ୍କାରେ ସାତ ଜଣ ଲୋକ ଚଳୁଛୁ। ସରକାରଙ୍କ ତରଫରୁ କିଛି ସହାୟତା ଦିଆଗଲେ ଆମେ ଭଲରେ ରୁହନ୍ତୁ।”

ସେହିଭଳି କଇରା ସିଦ୍ଧୁ କହିଛନ୍ତି, “ଆମେ ଛଅ ଜଣ ଥିଲୁ, ଆଉ ଜନକୀକୁ ମିଶାଇ ସାତ ଜଣ ହେଇଛୁ। ଆଜିକୁ ୮ ବର୍ଷ ହେବ ଆମେ ଜାନକୀକୁ ରଖିଛୁ। ତେବେ ଆମ ଭଳି ଗରିବ ପରିବାରକୁ ସରକାରଙ୍କ ତରଫରୁ କିଛି ସୁବିଧା ମିଳୁନି।”

ଅଭାବ ଅନଟନ ରହୁଥିଲେ ବି ପାଣୁଆ କେବେ ହାର ମାନି ନାହାନ୍ତି। ତାଙ୍କର ଏହି ମହାନତାକୁ ଦେଖି ପଡ଼ୋଶୀ ଏବଂ ଗ୍ରାମବାସୀମାନେ ମଧ୍ୟ ଖୁସି ଅନୁଭବ କରୁଛନ୍ତି।

ଚକୁରିଆ ଗ୍ରାମବାସୀ ଅଲେଖ ସିଦ୍ଧୁ କହିଛନ୍ତି, “ପାଣୁଆ ମୂଲ ଲାଗି ସାତ ଜଣଙ୍କୁ ପୋଷୁଛି। ସରକାରଙ୍କ ତରଫରୁ କିଛି ସହାୟତା ମିଳିଲେ ଭଲ ହୁଅନ୍ତା।”

ଅନ୍ୟପକ୍ଷରେ ଏହି ଦିବ୍ୟାଙ୍ଗ ଝିଅ ଜାନକୀଙ୍କ ପାଇଁ ସରକାରଙ୍କ ତରଫରୁ କିଛି ସହାୟତା ସହ ପାଣୁଆଙ୍କ ପାଇଁ ଘରଟିଏର ବ୍ୟବସ୍ଥା କରାଗଲେ ବଡ଼ ଉପକାର ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।