Advertisment

ରକ୍ତହୀନତା ରିପୋର୍ଟକୁ ନେଇ ଘେରିଲେ କଂଗ୍ରେସ ଓ ବିଜେପି, ସ୍ୱାସ୍ଥ୍ୟ ସଚିବ ଦେଲେ ସ୍ପଷ୍ଟୀକରଣ

ରାଜ୍ୟ ଜନସଂଖ୍ୟାର ଅଧାଭାଗ ମହିଳା ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ସୁରକ୍ଷା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
LokaSeva Bhaban

LokaSeva Bhaban

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶିତ ‘ଆମେନିଆମୁକ୍ତ ଲକ୍ଷ୍ୟ ଅଭିଯାନ’ (ଅମ୍ଲାନ) ରିପୋର୍ଟକୁ ନେଇ ଆଜି ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟର କ୍ଷମତାସୀନ ବିଜେଡି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ରାଜ୍ୟରେ ମହିଳା ସଶକ୍ତିକରଣ କାହିଁକି ଶକ୍ତିହୀନ ହେଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଥିବାବେଳେ ରକ୍ତହୀନତା ଦୂରୀକରଣ ନୁହେଁ କେବଳ ଭୋଟ୍ ଲକ୍ଷ୍ୟରେ ରାଜ୍ୟର ବିଜେଡି ସରକାର କାମ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଉଭୟ ଦଳ ଆଜି ଭିନ୍ନ ଭିନ୍ନ ଭାବେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟୀକରଣ ଦେଇ ଅମ୍ଲାନ ଯୋଜନା ଯୋଗୁ ରାଜ୍ୟରେ ଶିଶୁ, କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା କହିଛନ୍ତି ।

Advertisment

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଶ୍ମୀ ମହାପାତ୍ର କହିଛନ୍ତି ଯେ, ବିଜେଡି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନିରନ୍ତର ଶାସନ ବ୍ୟବସ୍ଥାରେ ରହିଥିଲେ ମଧ୍ୟ ଆଜି ଓଡ଼ିଶାର ମହିଳାମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉତ୍କଟ ଆକାରରେ ଧାରଣ କରିଛି । ମହିଳାମାନେ ବିଜୁ ଜନତା ଦଳର ବଳ, ମା’ମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କହିହୁଅନ୍ତି । କିନ୍ତୁ ରାଜ୍ୟ ଜନସଂଖ୍ୟାର ଅଧାଭାଗ ମହିଳା ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ସୁରକ୍ଷା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି । ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କଥା ମଧ୍ୟ ବିଭିନ୍ନ ସମୟରେ ପ୍ରଚାର କରାଯାଉଛି । ମା'ମାନଙ୍କୁ ମମତା, ଜନନୀ ଭଳି ସରକାରୀ ଯୋଜନାରେ ବର୍ଷକୁ ଶହ ଶହ କୋଟି ଟଙ୍କା ଅର୍ଥବ୍ୟୟ ବରାଦ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତିି ବୋଲି ଡିଣ୍ଡିମ ପିଟୁଛନ୍ତିି । କିନ୍ତୁ ଏନଏଚଏଫଏସ ରି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୬୪ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଅପପୃଷ୍ଟି ଏବଂ ରକ୍ତହୀନତାର ଶୀକାର ବୋଲି ସରକାରୀ ତଥ୍ୟ ମିଳିଛି ।

ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ, ମାତୃତଲାଭ କରୁଥିବା ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ବିଭିନ୍ନ ଭିଟାମିନ ଔଷଧ ଅଙ୍ଗୱାଡି ଦ୍ୱାରା ଯୋଗାଇ ଦେବା କଥା ଏବଂ ମୋ ଛତୁଆ, ମୋ ଉପକାରୀ ବଗିଚା ଏବଂ ବର୍ତମାନ ବହୁଳ ପ୍ରଚାର ପ୍ରସାର କରାଯାଉଥିବା ମିଲେଟଶକ୍ତି ପାଇଁ ଶହ ଶହ କୋଟିଟଙ୍କାର ବ୍ୟୟବରାଦ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ମିଶନର ସମୁଦାୟ ବଜେଟ ଅର୍ଥରୁ ୫୬ ପ୍ରତିଶତ ଅପପୁଷ୍ଟି ରୋକିବା ପାଇଁ ଖର୍ଚ୍ଚ କରାଯାଉଛି । ଏତଦ୍‌ବ୍ୟତୀ ରାଜ୍ୟ ସରକାର ୩୩୭୪ କୋଟି ଟଙ୍କା ବ୍ୟୟ ବରାଦରେ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତିି। କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ଏହା ସତ୍ତ୍ୱେ ୧୦୦ ରୁ ୬୭ ଜଣ ମହିଳା ଅପପୁଷ୍ଟିର ଶିକାର ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି ।

Advertisment

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଓଡ଼ିଶାରେ ମା'ମାନଙ୍କ ପାଇଁ ନବୀନ ସରକାରଙ୍କ ହୃଦୟ କାନ୍ଦୁଛି ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ବଡ଼ ପାଟିରେ ପ୍ରଚାର କରିବା କେବଳ ମାତ୍ର ଶାସନ ଗାଦିରେ ରହିବା ପାଇଁ ଷଡ଼ଯନ୍ତ୍ର । ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ଯାହା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ରାଜ୍ୟର ୬ ରୁ ୫୯ ମାସର ୪୨.୩ ପ୍ରତିଶତ ଶିଶୁଙ୍କ ଭିତରେ ରକ୍ତହୀନତା ଦେଖାଦେଇଛି । ସେହିଭଳି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮%, ୧୦ ରୁ ୧୯ବର୍ଷ ଝିଅ ୫୯.୪%, ଗର୍ଭବତୀ ମା'ମାନଙ୍କ ୬୨.୭ପ୍ରତିଶତ, ସ୍ତନ୍ୟପାନ କରାଉଥିବା ୬୮.୬ % ମା’ ରକ୍ତହୀନତାରେ ଶିକାର ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

କେବଳ ପ୍ରଚାର ଓ ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହେବ ନାହିଁ । କିମ୍ବା ଭିଟାମିନ୍‌ଯୁକ୍ତ ଚାଉଳ ଦେଲେ ରକ୍ତହୀନତା ଦୂର ହୁଏ ନାହିଁ । ଏଥିପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମହିଳା ଓ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର ମହିଳାଙ୍କ ପୃଷ୍ଟି ସାଧନ ଦିଗରେ କମ୍ ଧ୍ୟାନ ଦେଇ କ୍ଷମତା ଜାବୁଡ଼ି ଧରିବା ନିଶାରେ ବୁଡି ରହିଛନ୍ତି । ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ‘ଅମ୍ଲାନ ରିପୋର୍ଟ’ ପଦାରେ ପକାଇ ଦେଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପକ୍ଷରେ ଦୁଇ ବିରୋଧୀ ଦଳର କଡ଼ା ସମାଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି ଯେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ)-୫ ତଥ୍ୟାନୁଯାୟୀ ରାଜ୍ୟରେ ୬ରୁ ୫୯ମାସର ଶିଶୁଙ୍କ ମଧ୍ୟରେ ରକ୍ତହୀନତା ହାର ୬୪.୨% ଥିବାବେଳେ ‘ଅମ୍ଲାନ’ ଯୋଜନା କାର୍ଯ୍ୟକାରୀ ଯୋଗୁ ଏହା ଏବେ ୪୨.୩%କୁ ହ୍ରାସ ପାଇଛି । ସେହିପରି ୧୦ରୁ ୧୯ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ରକ୍ତହୀନତା ହାର ୬୫.୫%ରୁ ୪୬.୯%କୁ ଏବଂ ପ୍ରଜନନକ୍ଷମ ମହିଳାଙ୍କ ରକ୍ତହୀନତା ହାର ୬୪.୩%ରୁ ୫୫.୭%କୁ ହ୍ରାସ ପାଇଛି । ଜାତୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଦ୍ୱାରା ରକ୍ତହୀନତା ହ୍ରାସ କରାଯାଇ ପାରିଛି ବୋଲି ଶ୍ରୀମତୀ ପଣ୍ଡିତ କହିବା ସହ ରକ୍ତହୀନତା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଗୁଜୁରାଟ, ବିହାର ଓ ଆସାମ ଆଦି ରାଜ୍ୟ ତୁଳନାରେ ଭଲ ଅଛି । ଜାତୀୟ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶା ମଧ୍ୟ ୫ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପୃଷ୍ଟି ସାଧନରେ ଆଖିଦଶିଆ ଅଗ୍ରଗତି ହାସଲ କରିପାରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି ।

BjD State Bjp Congress