ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳରେ ଧିମେଇ ଯାଇଥିବା ଭିଭିତ୍ତିମି ବିକାଶ କାର୍ଯ୍ୟକୁ ପୁଣିଥରେ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛନ୍ତି । ବିଜେଡି ସରକାରର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ବନ୍ଦ କରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁରେ ଯୋଜନାକୁ କାର୍ଯ୍ୟାନ୍ୱୟନ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ପ୍ରକଳ୍ପର ସର୍ବନିମ୍ନ ବ୍ୟୟ ଅଟକଳ ୩ଲକ୍ଷ ଟଙ୍କା ରହିବ । ଗ୍ରାମାଂଚଳର ଆବଶ୍ୟକତାକୁ ଦୃଷ୍ଟିରେ ‘ଗ୍ରାମସଭା’ ଦ୍ୱାରା ଏହି ଯୋଜନାର ପ୍ରକଳ୍ପ ଚୟନ ହେବ ସତ କିନ୍ତୁ ଏସବୁ ପ୍ରକଳ୍ପଗୁଡ଼ିକର ଠିକାଦାରୀ କାମ କିଏ କରିବେ ତାକୁ ନେଇ ସସପେନ୍ସ ଲାଗି ରହିଛି । ପୂର୍ବ ବିଜେଡି ସରକାର ପଂଚାୟତସମିତି ଦ୍ୱାରା ‘ବିଭାଗୀୟସ୍ତରରେ’ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଇବା ଆଳରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାଦେଶ ‘କନିଷ୍ଠ ଯନ୍ତ୍ରୀମାନଙ୍କ’ ନାଁରେ ରଖି ନିଜର କର୍ମୀମାନଙ୍କୁ ତୁଷ୍ଟୀକରଣ କରୁଥିଲେ । ତେବେ ମୋହନ ସରକାର ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପଂଚାୟତସମିତି ଆକାଉଣ୍ଟିଂ ପ୍ରକ୍ରିୟା ନିୟମାବଳୀ-୨୦୦୨ ଓ ତତସଂକ୍ରାନ୍ତ ପରବର୍ତ୍ତୀ ସଂଶୋଧନ ଅନୁଯାୟୀ ପ୍ରକଳ୍ପଗୁଡ଼ିକୁ ‘ପଂଚାୟତ ସମିତି’ କାର୍ଯ୍ୟକାରୀ କରିବ ବୋଲି ଏହି ଗାଇଡ଼ଲାଇନରେ ଉଲ୍ଲେଖ କରିଥିବାରୁ ତାକୁ ନେଇ ସସପେନ୍ସ ଲାଗି ରହିଛି । ଗତ ଜାନୁୟାରୀ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ପ୍ରତିବର୍ଷ ହଜାରେ କୋଟି ଟଙ୍କା ବ୍ୟୟବରାଦ ସହ ୫ବର୍ଷ ନିମନ୍ତେ ‘ବିକଶିତ ଗାଁ ,ବିକଶିତ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ଏହି ଗାଇଡଲାଇନରେ୍ , ମୋହନ ମାଝୀଙ୍କ ସରକାର ‘ପଚାୟତ ସମିତି ଆକାଉଣ୍ଟିଂ ପ୍ରକ୍ରିୟା ନିୟମାବଳୀ-୨୦୦୨ ଓ ସମୟାନୁସାରେ ପରବର୍ତ୍ତୀ ସଂଶୋଧନ ଅନୁଯାୟୀ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ପ୍ରକଳ୍ପଗୁଡ଼ିକୁ ‘ପଂଚାୟତ ସମିତି’ କାର୍ଯ୍ୟକାରୀ କରିବ ବୋଲି ଦର୍ଶାଇଥିବାରୁ ଗ୍ରାମାଂଚଳରେ ପୁଣିଥରେ ପ୍ରାୟ ଦେଢ଼ଦଶନ୍ଧି ପରେ ଗ୍ରାମାଂଚଳରେ ବାସ୍ତବ ପଲ୍ଲୀସଭା-ଗ୍ରାମସଭା ଫେରିବ ବୋଲି ଆକଳନ କରାଯାଉଛି । ପଲ୍ଲୀସଭାରେ ଗାଁ ଲୋକେ ନିଜର ଆବଶ୍ୟକତା ଅନୁସାରେ ପ୍ରକଳ୍ପ ବାଛିବା ସହ ଭିଲେଜଲେଭୁଲ୍ ଲିଡର(ଭିଏଲଏଲ) ମଧ୍ୟ ଚୟନ କରିବେ ଯିଏକି ସମ୍ପୃକ୍ତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ମାତ୍ର ମୋହନ ସରକାରଙ୍କ ପ୍ରକୃତରେ ପଂଚାୟତ ସମିତି ମାନୁଏଲ ଆଧାରରେ ପ୍ରକଳ୍ପ କାର୍ଯ୍ୟାଦେଶ ବାଂଟିବେ ନା ବିଜେଡି ସରକାର ଭଳି ବିଭାଗୀୟ ଅଫିସର(କନିଷ୍ଠ ଯନ୍ତ୍ରୀମାନଙ୍କ) ନାଁରେ ପ୍ରକଳ୍ପ କାର୍ଯ୍ୟ ରଖି ଦଳୀୟ କର୍ମୀମାନଙ୍କୁ ଠିକାଦାରୀ ଦେଇ ତୁଷ୍ଟୀକରଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବ ବିଜେଡି ସରକାର ୨୦୧୧-୧୨ ମସିହା ପରଠୁ ରାଜ୍ୟରେ ‘ଗ୍ରାମସଭା’କୁ ନିଷ୍କ୍ରିୟ କରିଦେଇଥିଲେ । ଆଉ ପଂଚାୟତରେ ବିଭିନ୍ନ ଯୋଜନାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ପଂଚାୟତର ‘କନିଷ୍ଠ ଯନ୍ତ୍ରୀ’ ଓ ଅନ୍ୟ ଅଧିକାରୀଙ୍କ ନାଁରେ ୱାର୍କ ଅର୍ଡର ଇସ୍ୟୁ କରାଇ ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀମାନଙ୍କ ମାଧ୍ୟମରେ ସେସବୁ ଠିକାଦାରୀ କାର୍ଯ୍ୟ ସମ୍ପନ୍ନ କରାଉଥିଲେ । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସର୍ବନିମ୍ନ ଅଢ଼େଇ ଲକ୍ଷ ଟଙ୍କାର ପ୍ରକଳ୍ପ ଥିବାବେଳେ ଏଥିରେ ସର୍ବନିମ୍ନ ୩ଲକ୍ଷ ଟଙ୍କାରୁ ପ୍ରକଳ୍ପ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଗାଇଡଲାଇନ ଅନୁସାରେ ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ତ୍ୱରିତ୍ ଅଭିବୃଦ୍ଧି ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଗ୍ରାମାଂଚଳକୁ ସବୁଦିନିଆ ରାସ୍ତା, ପୋଲ, କଲର୍ଭଟ ନିର୍ମାଣ ସହ ଖେଳପଡ଼ିଆ, ଓପନ୍ ଜିମ୍ ଓ ଜଳାଶୟ ଆଦିର ବିକାଶ, ଭାଗବତ ଟୁଙ୍ଗୀ,ଭୋଗମଣ୍ଡପ ଓ ପୂଜାସ୍ଥଳୀର ନିର୍ମାଣ ଓ ପୁନରୁଦ୍ଧାର ସହ ସାଂସ୍କୃତିକ କେନ୍ଦ୍ର, ଲାଇବ୍ରେରୀ ଆଦି ପାଇଁ ଏହି ପାଣ୍ଠି ଖର୍ଚ୍ଚ କରାଯାଇପାରିବ । ସେହିପରି ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ, ସର୍ବସାଧାରଣ ଉପଯୋଗ ନିମନ୍ତେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଂଟର, ପୋଖରୀ ଓ ନଦୀରେ ଗାଧୁଆ ଘାଟ, ବଜାର ସେଡ୍ ଓ ଡ୍ରେନ୍ ଆଦି ନିର୍ମାଣ ମଧ୍ୟ ହୋଇପାରିବ ।ଏସବୁ ବ୍ୟତୀତ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯେଉଁ ପ୍ରକଳ୍ପର ୨୦ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବ ସେହି ପ୍ରକଳ୍ପ କାର୍ଯ୍ୟକୁ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇପାରିବ । ଏହି ଯୋଜନାରେ ସର୍ବନିମ୍ନ ପ୍ରକଳ୍ପମୂଲ୍ୟ ୩ଲକ୍ଷ ଟଙ୍କା ରଖାଯାଇଛି । ସର୍ବାଧିକ କେତେ ଖର୍ଚ୍ଚ ହେବ ତାହା ଉଲ୍ଲେଖ କରାଯାଇନି । ତେବେ ପ୍ରକଳ୍ପଟି ବିକାଶମୂଳକ ହେବା ଆବଶ୍ୟକ ଓ ବାରମ୍ବାର ଖର୍ଚ୍ଚ ଗ୍ରହଣୀୟ ନୁହେଁ । ଏସବୁ ପ୍ରକଳ୍ପବେଳେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଯୋଜନାରେ ଶୌଚାଳୟ ଓ ଜଳଜୀବନ ମିଶନରେ ପାଇପଯୋଗେ ପାନୀୟ ଜଳ ଯୋଗାଣ ସଂଯୋଗ ମଧ୍ୟ ଦିଆଯାଇପାରିବ ବୋଲି ଗାଇଡଲାଇନରେ ବ୍ୟବସ୍ଥା ରହିଛି । ମୋଟ ଆବଂଟିତ ପାଣ୍ଠିର ସର୍ବାଧିକ ୩୫ପ୍ରତିଶତ ଅର୍ଥ ରାସ୍ତା ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇପାରିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।
ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଯୋଜନା ଅର୍ଥ ଖର୍ଚ୍ଚ କରିବେ । ପଂଚାୟତିରାଜ ବିଭାଗରୁ ସିଧାସଳଖ ଏହି ପାଣ୍ଠି ଜିଲ୍ଲା ପରିଷଦକୁ ଯିବ ଓ ସେଠାରୁ ବ୍ଲକ ଓ ପଂଚାୟତକୁ ପଠାଯିବ । ଯାହାକି ଜନସଂଖ୍ୟା ଆଧାରରେ ବଂଟନ କରାଯିବ । ମୋଟ ବ୍ୟୟବରାଦର ୪୦ ପ୍ରତିଶତ ଅର୍ଥ ଆଇଟିଡିଏ ବ୍ଲକଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରହିବ । ଆବଂଟିତ ହୋଇଥିବା ଅର୍ଥରାଶିର ଉପଯୋଗ କରି ପ୍ରକଳ୍ପ କାର୍ଯ୍ୟ ସବୁ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ସେହିପରି ଗ୍ରାମାଂଚଳରେ ଆବଶ୍ୟକତା ଭିତ୍ତିରେ ୫ବର୍ଷ ପାଇଁ ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଗ୍ରାମସଭା ମାଧ୍ୟମରେ ପ୍ରସ୍ତୁତ ହେବାପରେ ପଂଚାୟତ ଦ୍ୱାରା ବ୍ଲକୁ ସୁପାରିଶ କରାଯିବ । ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଆକ୍ସନ ପ୍ଲାନ ମଧ୍ୟ ବ୍ଲକ ଦ୍ୱାରା ପ୍ରସ୍ତୁତ କରାଯିବ । ଏହି ପ୍ରକଳ୍ପ ତାଲିକାକୁ ବ୍ଲକସ୍ତରୀୟ ବୈଷୟିକ କମିଟି ଯାଂଚ କରିବା ପରେ ପଂଚାୟତ ସମିତି ଦ୍ୱାରା ଅନୁମୋଦନ କରି ଜିଲ୍ଲାପାଳଙ୍କ ମଞ୍ଜୁରୀ ପାଇଁ ସୁପାରିଶ କରିବେ । ପଂଚାୟତ ସମିତି ଆକାଉଣ୍ଟିଂ ପ୍ରକ୍ରିୟା ନିୟମାବଳୀ-୨୦୦୨ ଓ ପରବର୍ତ୍ତୀ ସଂଶୋଧନ ଅନୁଯାୟୀ ପ୍ରକଳ୍ପଗୁଡ଼ିକୁ ‘ପଂଚାୟତ ସମିତି’ କାର୍ଯ୍ୟକାରୀ କରିବ । ପ୍ରକଳ୍ପ ଗୁଡ଼ିକୁ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳମାନେ ଉପଯୁକ୍ତ ସଂସ୍ଥା(ଏଜେନ୍ସୀ) ଚୟନ କରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।