Advertisment

ପୋଡା ମାଛ ବଳି ସାଙ୍ଗକୁ ମାଆଙ୍କ ପାଖରେ ଚାଲିଛି ଦୁଇବେଳା ଚଣ୍ଡୀପାଠ

ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୌରାଣିକ ମତାନୁସାରେ କୋଣାର୍କ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ଏହି କ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପ୍ରତିଷ୍ଠା କରାଯାଇଥିଲା।

author-image
Manoranjan Sial
Maa

Maa

ପାର୍ବଣ ଋତୁରେ ନିଆରା ପରମ୍ପରା। ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତି ପୀଠ କୋଣାର୍କ-ପୁରୀ ବେଳା ମାର୍ଗରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ମାଆଙ୍କୁ ସନ୍ତୁଷ୍ଟ ପାଇଁ ପୋଡା ମାଛ ବଳି ଦିଆଯାଉଛି। ତା’ ସାଙ୍ଗକୁ ଦୁଇ ବେଳା ଚଣ୍ଡୀପାଠ ଚାଲିଛି।

Advertisment

ପବିତ୍ର କୁଶଭଦ୍ରା ନଦୀର ମୁହାଣ ନିକଟରେ ରହିଛି ରାଜ୍ୟର ଅଷ୍ଟଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ମାଆ ରାମଚଣ୍ଡୀ। ମାଆ ରାମଚଣ୍ଡୀଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୌରାଣିକ ମତାନୁସାରେ କୋଣାର୍କ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ଏହି କ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପ୍ରତିଷ୍ଠା କରାଯାଇଥିଲା। ସେମାନଙ୍କ ମଧ୍ୟରେ ମା’ ରାମଚଣ୍ଡୀ ଅନ୍ୟତମ। କୁହାଯାଏ କୋଣାର୍କ ମନ୍ଦିର ଆକ୍ରମଣ ବେଳେ କଳାପାହାଡ ମାଆ ରାମଚଣ୍ଡୀ ମନ୍ଦିରରେ ପ୍ରବେଶ କଲା ବେଳେ ମାଲୁଣୀ ବେଶରେ ମାଆ ରାମଚଣ୍ଡୀ କୁଶଭଦ୍ରା ନଦୀକୁ ପାଣି ଆଣିବା ପାଇଁ ଯାଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ସେବେଠାରୁ ପଣ୍ଡାମାନେ ସ୍ଵପ୍ନାଦେଶ ପାଇ କୁଶଭଦ୍ରା ନଦୀ କୂଳରେ ମାଆଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ। ସେଥିପାଇଁ ଉପାକ୍ଷାନ ଅଛି “ଭଲା ରାମଚଣ୍ଡୀ ଭଳାରେ କଳା ପାହାଡକୁ ଡୁଆରେ ବସାଇ ଭଲା ପାଣି ଆଣି ଗଲାରେ।”

ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ, ମହାପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଆଙ୍କ ପୂଜାର୍ଚ୍ଚନା କରି ଚଣ୍ଡୀ କରିଥିଲେ। ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମାଆ ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜା ପାଉଛନ୍ତି। ମାଆ ଏଠାରେ ଦଶଭୁଜା ମହିଷ ମର୍ଦ୍ଦିନୀ ଦୁର୍ଗା ବେଶରେ ବନ ଦୁର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି। ଐଶ୍ଵନ୍ୟ ମାସରେ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପାର୍ବଣରେ ବିଶେଷ ପୂଜାନୀତି ହୋଇଥାଏ।

Advertisment

ମୂଳାଷ୍ଟମୀର ପ୍ରତ୍ୟୁଷରୁ ୧୦୮ କୁମ୍ଭାଭିଷେକ କରାଯିବା ପରେ କୁମ୍ଭ ବସାଇ ଅଖଣ୍ଡ ଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଥାଏ। ଦୈନନ୍ଦିନ ସ୍ନାନ, ସକାଳ ଆଳତି, ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ଖଇ ଭୋଗ, ଖେଚୁଡି ଭୋଗ ପରେ ସାହାଣମେଲା, ଦୁଇ ବେଳା ଚଣ୍ଡୀପାଠ, ଦ୍ଵି’ପ୍ରହର ଭୋଗ, ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତି, ପୁନଃ ଚଣ୍ଡୀପାଠ, ରାତ୍ରି ଭୋଗ, ବଡ ସିଂହାର ବେଶ ପରେ ପହଡ଼ ପଡିଥାଏ।

ଚଳିତ ବର୍ଷ ମୂଳାଷ୍ଟମୀଠାରୁ ପାର୍ବଣ ଆରମ୍ଭ ହୋଇଛି। ପାର୍ବଣରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭକ୍ତମାନେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ମାଆଙ୍କ ଦର୍ଶନ ଲାଭ କରୁଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri