Advertisment

ମହିଳାଙ୍କ ସ୍ୱର ଚପଉଛି କିଏ?

ରୁଦ୍ରପ୍ରସନ୍ନ ରଥ ମଣିଷ କଥା କହିପାରୁଥିବାରୁ ସେ ଜୀବ ଜଗତର ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ। ମଣିଷ ଯେ କେବଳ କଥା କହିପାରେ ତାହା ନୁହେଁ, ବରଂ ସେ କଥା ଦ୍ୱାରା ଅନ୍ୟମାନଙ୍କ ସହ ସଂପର୍କ ତିଆରି କରେ ଆଉ ସହଜରେ ନିଜକୁ ଅନ୍ୟ ଆଗରେ ପ୍ରକାଶ କରିପାରେ। ମୋଟ ଉପରେ ମଣିଷ ପାଇଁ କଥା ହିଁ ସବୁକିଛି। କଥା କହିବା ପାଇଁ ଯେ ସ୍ୱରର ଆବଶ୍ୟକତା ଅଛି ତାହା ଆମେ ସମସ୍ତେ ଜାଣିଛେ। ମାତ୍ର ସ୍ତ୍ରୀ ଏବଂ […]

author-image
Debendra Prusty
ଅଦ୍ୟତନ ହୋଇଛି
ମହିଳାଙ୍କ ସ୍ୱର ଚପଉଛି କିଏ?

Woman

ରୁଦ୍ରପ୍ରସନ୍ନ ରଥ

ମଣିଷ କଥା କହିପାରୁଥିବାରୁ ସେ ଜୀବ ଜଗତର ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ। ମଣିଷ ଯେ କେବଳ କଥା କହିପାରେ ତାହା ନୁହେଁ, ବରଂ ସେ କଥା ଦ୍ୱାରା ଅନ୍ୟମାନଙ୍କ ସହ ସଂପର୍କ ତିଆରି କରେ ଆଉ ସହଜରେ ନିଜକୁ ଅନ୍ୟ ଆଗରେ ପ୍ରକାଶ କରିପାରେ। ମୋଟ ଉପରେ ମଣିଷ ପାଇଁ କଥା ହିଁ ସବୁକିଛି। କଥା କହିବା ପାଇଁ ଯେ ସ୍ୱରର ଆବଶ୍ୟକତା ଅଛି ତାହା ଆମେ ସମସ୍ତେ ଜାଣିଛେ। ମାତ୍ର ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ଥିବା ଲିଙ୍ଗଭେଦରେ ଏ କଥା କହିବା ପାଇଁ ଆବଶ୍ୟକ ହେଉଥିବା ସ୍ୱରର ସ୍ୱରୁପ ରାଜନୈତିକ, ସାମାଜିକ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଭିନ୍ନ ଭିନ୍ନ ହୋଇଥାଏ। ସାଧାରଣତଃ ଦେଖିବାକୁ ଗଲେ ପୁରୁଷ କଥା କହୁଥିଲା ବେଳେ ମହିଳାଙ୍କ କଥା ଅନେକ ସମୟରେ ବିଭିନ୍ନ କାରକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

Advertisment

ପୁରୁଷ ପ୍ରଧାନ ସମାଜରେ ପୁରୁଷ ହିଁ ଅଧିକାଂଶ ବ୍ୟବସ୍ଥାକୁ ନିୟନ୍ତ୍ରଣ କରେ। ସେ ନିଜେ କେଉଁଠି କହିବା ଆଉ କେଉଁଠି କହିବ ନାହିଁ ତାହା ନିର୍ଣ୍ଣୟ କଲାବେଳେ ଅନ୍ୟମାନେ କିଏ କଣ କହିବେ କଣ କହିବେ ନାହିଁ ତାହାକୁ ବି ବେଶ୍ ଦୃଢଭାବେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଏ।

ପୁରୁଷମାନଙ୍କର ଶାସନ କରିବାର ମାନସିକତା ଯୋଗୁଁ ଛୋଟବେଳୁ ହିଁ ଝିଅମାନଙ୍କୁ ନାନାବିଧ ଆକଟ କରାଯାଇଥାଏ। ଏମିତି ହସିବା ମନା, ସେମିତି କାଶିବା ମନାର ଆକଟ ଭିତରେ ଝିଅଟି ନିଜକୁ ଅସହାୟ ଭାବେ ବଢ଼ାଇ ଚାଲିଥାଏ। ଫଳରେ ପରିସ୍ଥିତି ଏପରି ହୁଏ ଯେ ସେ ଝିଅଟି ବଡ଼ ହୋଇ ମହିଳା ହୋଇଗଲା ପରେ ସେ ଯଦିଓ କଥା କହୁଥାଏ ତେବେ ସେ ଧୀରେ ଧୀରେ ପ୍ରତିବାଦ କରିବାର ସାମର୍ଥ୍ୟ ହରାଇବସେ। ତା ସ୍ୱର ପ୍ରତିବାଦ ବିହୀନ ହୋଇପଡ଼େ। ହୁଏତ ସେ ଜାଣିଥାଏ ଯେ ତାହା ପ୍ରତି ପକ୍ଷପାତପୂର୍ଣ୍ଣ ବ୍ୟବହାର କରାଯାଉଛି, ତଥାପି କାଳେ କ’ଣ କିଏ ଭାବିବ ସେଥିପାଇଁ ସେ ଚୁପ ରହିବାକୁ ପସନ୍ଦ କରେ। କାରଣ ପିତୃପ୍ରଧାନ ସମାଜରେ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଅପେକ୍ଷା ଚୁପ ରହୁଥିବା ମହିଳାମାନଙ୍କୁ ସୁନାନାକୀ ଝିଅର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ।

Advertisment

ସମାଜରେ ମହିଳାମାନଙ୍କର ସ୍ୱରକୁ ଚାପିଦେବାର ମାନସିକତା ପୁରୁଷମାନଙ୍କ ମଧ୍ୟରେ ଏତେ ଉତ୍କଟ ଏବଂ ତୀବ୍ର ଯେ ସର୍ବସାଧାରଣ ସ୍ଥାନରେ ବଡ଼ପାଟିରେ କଥା କହୁଥିବା ବା ହସୁଥିବା ମହିଳାମାନଙ୍କୁ ଆମେ ଅନ୍ୟଗ୍ରହରୁ ଆସିଥିବାର ଭାବି ବୁଲି ବୁଲି ଚାହିଁଥାଉ। ଆଉ କେତେବେଳେ ଆମେ ଏମାନଙ୍କୁ ରଣଚଣ୍ଡୀ ବା ଅଣ୍ଡିରୀଚଣ୍ଡୀର ମାନ୍ୟତା ଦେଉ। ଅନେକ ସମୟରେ ଏମାନଙ୍କ ଚରିତ୍ରକୁ ନେଇ କୁତ୍ସା ରଟନା କରୁ। ମାତ୍ର ସତ କଥା କହିବାକୁ ଗଲେ ସମାଜ ଅଣ୍ଡିରୀଚଣ୍ଡୀମାନଙ୍କୁ ହୁଏତ ଭଲ ନପାଇପାରେ ମାତ୍ର ସେମାନେ ସବୁବେଳେ ଅଣ୍ଡିରୀଚଣ୍ଡୀମାନଙ୍କୁ ଭୟ କରିଥାଏ। ଯଦି ସ୍ୱରକୁ ନିୟନ୍ତ୍ରଣକୁ ଆଣି ସେ ଝିଅଟି ଆଗକୁ ଆସି ନିଜର ନାମକୁ ପ୍ରତିଷ୍ଠିତ କରାଇପାରେ, ତେବେ ତା ସଫଳତାର ଶ୍ରେୟ ନେବାକୁ ପୁରୁଷ ଆଗକୁ ମାଡ଼ି ଚାଲିଆସେ।

ଏ ପୃଥିବୀର ସାମାଜିକ ଏବଂ ରାଜନୈତିକ ଦୃଶ୍ୟପଟ୍ଟକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହେବଯେ ସମାଜର ବିଭିନ୍ନ କ୍ଷେତ୍ରକୁ ମହିଳାମାନେ ବିଭିନ୍ନ ରୁପେ କାଳଖଣ୍ଡର ବିଭିନ୍ନ ଅବଧିରେ ଯୋଗଦାନ ଦେଇଛନ୍ତି। ମାତ୍ର ଏକଥା ବି ସତ ଯେ ସେ ସମୟର ବିଧିବ୍ୟବସ୍ଥା ମଧ୍ୟ ଏହି ମହିୟସୀ ମହିଳାମାନଙ୍କ ସ୍ୱରକୁ ଦବାଇବାର ପ୍ରଚ୍ଛନ୍ନ ପ୍ରଚେଷ୍ଟା କରିଥିଲା। ଜ୍ୟେତିବା ଫୁଲେ ହୁଅନ୍ତୁ କିମ୍ବା ଭୀକାଜୀ କାମା କିମ୍ବା ଅରୁଣା ଆସଫ୍ ଅଲୀ, ଏ ସମସ୍ତଙ୍କ ସ୍ୱରକୁ ପ୍ରଥମେ ସମାଜ ଦବାଇ ଦେବାକୁ ଚାହିଁଛି। ସେମାନଙ୍କ ସ୍ୱରକୁ ଅଟକାଇବା ପାଇଁ ବିଭିନ୍ନ  ପ୍ରତିବନ୍ଧକ ଲଗାଇଛି। ତଥାପି ସେମାନେ ହାରି ଯାଇନାହାନ୍ତି। ନିଜ ଦମ୍ ବଳରେ ସମାଜକୁ ଦେଖାଇଛନ୍ତି ଯେ ସେମାନେ କଣ କରିପାରିବେ।

ଅଥଚ ଇତିହାସର ଏ ପୃଷ୍ଠା ସବୁରୁ ଆମେ କିଛି ଶିଖିଲା ପରି ମନେ ହେଉ ନାହିଁ। ଆଉ ଏବେ ମଧ୍ୟ ଆମେ ଆମ ନିଜ ଘରେ ସୁନାନାକୀ ଝିଅମାନଙ୍କୁ ତିଆରି କରିବାରେ ଲାଗିଛେ। ସତରେ କ’ଣ ଏହି ସୁନାନାକୀ ଝିଅମାନେ ଆସନ୍ତା କାଲିର ଆଦର୍ଶ ନା ସଂସ୍କୃତିକ ବିବର୍ତ୍ତନବାଦ ପ୍ରକ୍ରିୟାରେ ଏମାନେ ଜଣେଜଣେ ମାଟିପିଣ୍ଡୁଳା ରୂପେ ତିଆରି ହେଉଛନ୍ତି ଯେଉଁମାନଙ୍କର ଅନ୍ୟାୟକୁ ପ୍ରତିରୋଧ କରିବାର ସମାନ୍ୟତମ କ୍ଷମତା ନାହିଁ। ସେ କେବଳ ସଂକୁଚିତ ଆତ୍ମବିଶ୍ୱାସ ନେଇ ପର୍ଯ୍ୟାୟକ୍ରମେ ନିଜକୁ ଦୁର୍ବଳ ଏବଂ ଶଂକାକୁଳ କରିଚାଲିଛି।

ସାମାଜିକ ଲିଙ୍ଗଗତ ବିଭେଦ ହେତୁ ସମାଜ ଅପେକ୍ଷା ରଖେ ଯେ ମହିଳା ଜଣଙ୍କ ବଡ଼ମାନଙ୍କ ସାମନାରେ ଚୁପ୍ ରହିବ କିମ୍ବା ଧୀର ଭାବେ କଥା କହିବ। ଏପରିକି ତାହା ସହ ଅନ୍ୟାୟ ଅନୀତି ଘଟୁଥିଲେ ମଧ୍ୟ ସେ ଏହାକୁ ବଡ଼ ପାଟିରେ ଖୋଲି କରି କହିପାରିବ ନାହିଁ। ଖାସ୍ ଏହି କାରଣରୁ ତା ସହ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ଆଦିକୁ ସେ ଛୋଟବେଳୁ ହିଁ ଚୁପ୍ ଚାପ ସହିଯାଏ ସିନା ହେଲେ ଏହାକୁ କାହା ଆଗରେ ଖୋଲି କରି କହିପାରେ ନାହିଁ। ଛୋଟ ବେଳୁ ଅନ୍ୟାୟର ପ୍ରତିବାଦ କରିବା ଶିଖି ନଥିବାରୁ ସେ ବଡ଼ ହେଲେ ଏହାକୁ ନେଇ ହରଡ଼ଘଣାରେ ପଡ଼େ। ବେଳେବେଳ ପରିସ୍ଥିତି ଏପରି ହୋଇଛି ଯେ ଘରେ ବା କର୍ମ କ୍ଷେତ୍ରରେ ହିଂସା କିମ୍ବା ଯୌନଗତ ବ୍ୟଭିଚାର ଶିକାର ହେଲେ ମଧ୍ୟ ଏ ବିଷୟରେ କାହାରିକୁ କହିବା ପୂର୍ବରୁ ଶହେ ଥର ଚିନ୍ତା କରୁଛି। ମନଖୋଲି କହିଲେ ଆଗକୁ ଅବସ୍ଥା କ’ଣ ହେବ ଏହା ତାକୁ ଯେତେ ବ୍ୟସ୍ତ କରୁନାହିଁ ବରଂ ତାର ସୁନାନାକୀ ଝିଅର ଇମେଜ କେତେ ପ୍ରଭାବିତ ହୋଇପଡ଼ିବ ତାକୁ ନେଇ ସେ ଚିନ୍ତିତ ହୋଇ ପଡୁଛି। ନିଜକୁ ସ୍ୱରକୁ ଶାଣିତ କରି ପ୍ରତିବାଦ କରିବା ଆଗରୁ ତାହାର ଅନ୍ତଃସ୍ୱର ନିରବୀ ଯାଉଛି।

ଯଦିଓ ମହିଳାଙ୍କୁ ସୁରକ୍ଷା ଦେବାକୁ ଆମ ଦେଶ ଏବଂ ରାଜ୍ୟରେ ଅନେକ କାନୁନ ପ୍ରଭାବଶାଳୀ ଢଙ୍ଗରେ କାମ କରୁଛି ତେବେ ଏ କାନୁନ ଗୁଡ଼ିକ ରୁଢ଼ିବାଦୀ ସମାଜର ପରମ୍ପରା ଏବଂ ପ୍ରଚଳିତ ସଂସ୍କୃତିକୁ ଭେଦକରି ମହିଳାଙ୍କ ସ୍ୱରକୁ ପ୍ରୋତ୍ସାହିତ କରିପାରୁନାହିଁ। ମହିଳାଙ୍କ ସ୍ୱର ଘରର ରୋଷେଇଶାଳକୁ ଡେଇଁ ବାହାରକୁ ଆସି ପାରୁନାହିଁ। ଯଦି ସମାଜରେ ବଡ଼ପାଟିରେ କଥାକହୁଥିବା ମହିଳାମାନଙ୍କୁ ଆମେ ମାନସିକ ସ୍ତରରେ ଗ୍ରହଣ କରିବାର କ୍ଷମତା ରଖୁନାହେଁ ତେବେ ଆମର ସ୍ତରକୁ କେତେ ଉପରକୁ ଉଠାଇବାକୁ ପଡ଼ିବ ତାହା ଖୁବ ସହଜରେ ବୁଝାପଡୁଛି।

ବୋଧହୁଏ ଏବେ ସମୟ ଆସିଛି, ଛୋଟବେଳୁ ଝିଅମାନଙ୍କୁ ଠିକ ଭୁଲର ଶିକ୍ଷାଦେଇ ସେମାନଙ୍କୁ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ସେମାନଙ୍କୁ ଶିକ୍ଷା ଦେବା। ଆମ ଝିଅର ସ୍ୱରକୁ କବି ବା ଗାୟିକାଙ୍କ ପରି ସୁରିଲା କରିବାକୁ ଆମେ ଯେତେ ବିବ୍ରତ ହୋଇପଡୁଛେ, ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ସ୍ୱରକୁ ଶାଣିତ କରିବା ପାଇଁ ମଧ୍ୟ ଆମେ ଚେଷ୍ଟା କରିବା ଉଚିତ। ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ବଡ଼ ପାଟିରେ ଚିତ୍କାର କଲେ ଯଦି କେହି ଆମକୁ ରଣଚଣ୍ଡୀ କିମ୍ବା ଅଣ୍ଡିରୀଚଣ୍ଡୀର ଆଖ୍ୟା ଦେଉଛି ତେବେ ଆମେ ବାପା, ଭାଇ, ସ୍ୱାମୀ କିମ୍ବା ବନ୍ଧୁ ହିସାବରେ ଆମେ ସେଥିରେ ବିଚଳିତ କିମ୍ବା ବିବ୍ରତ ନହୋଇ ବରଂ ଏଥିପାଇଁ ଆମେ ଦୃଢ଼ ପ୍ରତିବାଦ କରିବା ଉଚିତ। ହୁଏତ ପ୍ରତିବାଦ କରୁଥିବା ମହିଳାଙ୍କ ସ୍ୱର ଆମକୁ କର୍କଶ ଶୁଭିପାରେ କିମ୍ବା ଅସ୍ୱାଭାବିକ ଲାଗିପାରେ ମାତ୍ର ସ୍ୱାଭିମାନର ସହ ଅଧିକାରର ସହ ବଂଚିବାକୁ ଯେ ଏହି ସ୍ୱର ନିହାତି ଆବଶ୍ୟକ ତାହା କ’ଣ ଆପଣମାନେ ଅସ୍ୱୀକାର କରିବେ?

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

Male Domination Silencing Women Women's Voice