‘ହଇଏ ମଣିଆ'ନା, ଭାବୁଛି ବୋଉ କଥା ଏଥର ସତ ହବ। ବାଇଶି ପାହାଚରେ ମୀନ ଖେଳିବ, ଆଉ କାଳିଆ ସା'ନ୍ତ ଛତିଆ ଯିବ। ନହେଲେ କ’ଣ ଏ ସବୁ କାଣ୍ଡ ଶୀକ୍ଷେତ୍ରରେ ହଅନ୍ତା ନା କ’ଣ?’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଂଗିଦୁଆର ମୁହଁଟା ଖାଁ ଖାଁ ଲାଗୁଥେଲା। ପୁଲିସ୍ର ଟିଅର୍ ଗ୍ୟାସ୍, ଆନ୍ଦୋଳନକାରୀଙ୍କ ଆଖିରୁ ଯେତିକି ଲୁହ ବାହାର କରି ନ ଥିଲା, କାଳିଆ ଆଖିରୁ ତା’ଠୁ ଢେର ଗୁଣା ଅଧିକ ଲୁହ ବାହାର କରି ଦେଲା ଭଳି ଲାଗୁଥେଲା। କାଳିଆ ଦିଅଁଙ୍କୁ ଓଡ଼ିଆ ପିଲେ ନିଜ ଘରର ମୁରବୀ ବୋଲି ମାନୁଥେଲେ। ଏଇନା ସେଇ ମୁରବୀ ପାଖକୁ ଯିବାର ହକ୍ ନେଇ ଶ୍ରୀକ୍ଷେତ୍ରରେ ମାର୍ପିଟ୍ ଲାଗିଛି। ବିଷଣ୍ଣ ଦିଶୁଛି ପତିତପାବନ ଗୁମୁଟ।
ସଞ୍ଜ ନଇଁ ଆସୁଥେଲା। କାକୁଡ଼ିଖାଇଙ୍କ ପାଖ ଛେନା ଦୋକାନରେ ଧୀରେ ଧୀରେ ଭିଡ଼ ଜମୁଥେଲା। ସାଙ୍ଗ, ଭାଙ୍ଗ ଆଉ ପଙ୍ଗତର ସହରରେ ଏବେ ସବୁଠି ସେହି ଗୋଟାଏ ଚର୍ଚ୍ଚା, "ଦେଉଳ ଭିତରକୁ ଅଦିନିଆ ଧାଡ଼ି କାଇଁକି କେଲେ?"
କ’ଣ ସତରେ ଆଉ କାଳିଆକୁ ଆଖି ପୁରେଇ ଦେଖି ହବନି ? କ’ଣ ସତରେ କାଳିଆକୁ କୋଳେଇବାକୁ ଧାଡ଼ିରେ ଯାଇ ହାତ ଟେକିଲେ, ଗୁଆ ଛେଲୁଆରେ ମାଡ଼ ଖାଇବାକୁ ପଡିବ?
ଏତିକି ବେଳେ ତିଆଡ଼ି ସାହିର ମଣିଆ ନନା ଆସି ଆସର ଜେଗାରେ ହାଜର ହେଲେ। ସାରା ଶୀକ୍ଷେତ୍ରରେ ତାଙ୍କରି ଭାରି ଖାତିରି। ନନାଙ୍କ ବସିବା ପାଇଁ ହେଇନା ଷ୍ଟୁଲଟାଏ ବି ଆସିଗଲା। ତେଣେ ଗାମୁଛା ବନ୍ଧା ଛେନାରୁ ଟପ୍ ଟପ୍ ପାଣି ଗଳୁଥାଏ, ଆଉ ଛେନା ଦୋକାନର ଠିକ୍ ପଛକୁ ନୀଲୁଆର ଭିତର ଶିଳରେ ଭାଙ୍ଗ ବଟା ଏକଦମ୍ ରେଡ଼ି।
ଦିଅଁ ଦର୍ଶନକୁ ନେଇ ଏଇ ଯଉ ରଙ୍ଗ ଚାଲିଛି ଆଉ ତାକୁ ନେଇ ଶୀକ୍ଷେତ୍ର ଯାହା ହଉଛି, ସେଗୁଡ଼ାକ ଦେଉଳରେ ବୋଝେୟା ହୋଇ ଅବଢା ବୋହୁଥିବା ସନାକୁ କୁଆଡ଼େ ଢେର୍ ବାଧିଛି। ନୀଲୁଆର ଶିଳବଟା ଗୋଲିରୁ ଟେଳାଟାଏ ଭାଙ୍ଗ ତଣ୍ଟିକୁ ପକାଇ ଏଥର ସନା ତା' ଅଭିଯୋଗସବୁ ଉଝାଳିବାକୁ ଲାଗିଲା।
‘ହଇଏ ମଣିଆ'ନା, ଭାବୁଛି ବୋଉ କଥା ଏଥର ସତ ହବ। ବାଇଶି ପାହାଚରେ ମୀନ ଖେଳିବ, ଆଉ କାଳିଆ ସା'ନ୍ତ ଛତିଆ ଯିବ। ନହେଲେ କ’ଣ ଏ ସବୁ କାଣ୍ଡ ଶୀକ୍ଷେତ୍ରରେ ହଅନ୍ତା ନା କ’ଣ?’
ସନାର କଥାଟା ଶୁଣି ମଣିଆ'ନା ଟିକେ ଗମ୍ଭୀର ହୋଇ ପଡ଼ିଲେ। କହିଲେ, “କଥା ଟା କାଳିଆ ଦିଅଁକୁ ନ ବାଧିଥେଲେ, କ’ଣ ଏମିତି ହେଇଥା'ନ୍ତା। ସେବାୟତ ପ୍ରଶାସନର କଳି ତୁଟିଲାନି ବୋଲି ନିରୀହ ଭକ୍ତଗୁଡ଼ା ଖୋଦୋ ବଡ଼ଦାଣ୍ଡରେ ଦଣ୍ଡ ପାଇଲେ। ସରକାର ତ ମନ୍ଦିର ଭିତରେ କାହାର ଠିପି ଟାଇଟି କରି ପାରୁନାହାନ୍ତି, ସିଆଡ଼େ ଦିଅଁଙ୍କ ଜମି କିଏ କୁଆଡେ ମାରି ଖାଇଗଲେଣି ଯେ ତାକୁ କାଢ଼ି ପାରୁ ନାହାନ୍ତି। ତୁଚ୍ଛାଟାରେ ଦିଅଁ ଦର୍ଶନରେ ଅବାଗିଆ ବ୍ୟବସ୍ଥା ପୂରେଇଚିନ୍ତି।”
ମଣିଆ'ନାଙ୍କ କଥାଟା ସେଠି ବସିଥିବା ସବୁ ପାଠୁଆ ଆଉ ଦରପାଠୁଆ, ସଭିଙ୍କୁ ଏକଦମ୍ ସରସା ଲାଗିଲା।
ଆଉ କାହା କଥାକୁ ନ ଅନେଇ ତୁରନ୍ତ ସନା କହି ପକାଇଲା, "ହଇଓ, ଶୃଙ୍ଖଳା ଦର୍ଶନ କଥା କୁହା ଯାଇଥିଲା। ହେଲେ,ଏ ଧାଡ଼ି କଥା ଉଠିଲା କଉଠୁ ହୋ।"
ସନା ପୁଣି ତା ବୋଉ କଥା କହିଲା। “ବୋଉ କହେ, ଘରେ କଜିଆ ଲାଗିଲେ କି ମନ କଷ୍ଟ ହେଲେ, ଜଗମୋହନରେ ଘଡ଼ିଏ ଛିଡା ହେଇ କାଳିଆକୁ ଦେଖିଦେଲେ ମନ ଆଉ ପେଟ ପୂରିଯାଏ। ଯାବତ୍ ଦୁଃଖ, ଯନ୍ତ୍ରଣା ଚଟ୍ କି ମିଳେଇଯାଏ ତା ଚକା ଆଖିରେ। କାଳିଆ ଦିଅଁର କୃପାକୁ ଅଙ୍ଗେ ନିଭେଇଥିବା ଲୋକ ମୋ ବୋଉ, ତା କଥାକୁ କେବେ ଭୁଲ୍ କହିବନି ନନା।"
ଏଥର କଳରେ ପାନ ଖଣ୍ଡେ ପୂରାଇ ସନା ପୁଣି କହିଲା, "କଥାରେ ଅଛି ପରା, କାଳିଆ ଆମର ଆଖି ସର୍ବସ୍ୱ ଦିଅଁ। ତା ଆଖିରେ ଆମକୁ ସବୁ ଦିଶେ। ହାତ ଏମିତି ଟେକିଛି ଯେମିତି ଡାକୁଛି ଆ’ ମତେ କୁଣ୍ଢେଇ ପକା’। କହିଲ ଦେଖି କୋଉ ଦିଅଁ ଏମିତି ଅଛି।”
ସନା କଥା ଶୁଣି ମଣିଆ'ନାଙ୍କ କଣ୍ଠ ବି ବାଷ୍ପରୁଦ୍ଧ ହେଇଗଲା। “ଧାଡ଼ି ଦର୍ଶନ ବ୍ୟବସ୍ଥା ନକରି ଯେମିତି ଚାଲୁଥିଲା, ସେମିତି ତ ଚାଲିଲେ କାହାର କିଛି ହବାର ନଥେଲା। ଦର୍ଶନାର୍ଥୀ, ଭକ୍ତ, ପର୍ଯ୍ୟଟକ କାହାର ହେଲେ ଏଥିରେ ଆପତ୍ତି ହବାର ନାଇଁ। ମୁଁ ୩ ଥର ତିରୁପତି ଯାଇଛି। ସେଠି ଧାଡ଼ି ଦର୍ଶନରେ ଠାକୁରଙ୍କୁ ମନଭରି ଦେଖିବା ଆଗରୁ ମୋତେ ବାହାରି ଆସିବାକୁ ପଡିଛି। ହେଲେ ଏଠି ଏମିତି କଲେ ଭାରି ବାଧିବ ”, କହିଲେ ମଣିଆ'ନା।
ସେତେବେଳକୁ ସନା ମୁଣ୍ଡକୁ ଭାଙ୍ଗ ଚଢ଼ି ଗଲାଣି। କଥାରେ ଅଛି, ଭାଙ୍ଗ ଖାଇଲେ ୧୪ ଭୁବନ ଦିଶେ। ଏବେ ସନାର ତୁଣ୍ଡକୁ ଯା ଆଇଲା ତା ଗାଇବା ଅବସ୍ଥା।
“କାଳିଆ ପାଖରେ ମୁଣ୍ଡିଆ ନାହିଁ, କୁଣ୍ଢିଆ। ସେଇଥିପାଇଁ ତ ତାକୁ ଦେଖିଲେ ଭାଷା ଅଭାଷା ଲଗେଇ ଆମେ ଶୋଧୁ। ଡରିଗଲେ ଆମେ ହାତ ଯୋଡୁନା, ଟେକି ଦଉ। ଭାରତରେ ଏମିତି କୋଉ ମନ୍ଦିର ଅଛି କହ, ଯୋଉଠି ଦିଅଁଙ୍କୁ ଏମିତି ଗାଳି କିଏ ଦିଏ, ଆଉ ହାତ ଟେକା ମୁଣ୍ଡିଆ କିଏ ମାରେ।
ହଇ ହୋ, ଭକ୍ତଙ୍କୁ କୁଣ୍ଢାଇବ ବୋଲି ଆମ ଦିଅଁ ତା' ଅସ୍ତ୍ର ସୁଦର୍ଶନକୁ ପା' ମାଦଳ କରି ଥୋଇଛି। କାଳ କାଳ ଧରି ତା ପାଖେ ଭକ୍ତଙ୍କ ପ୍ରକାର ଭେଦ ନଥିଲା ବୋଲି ତ ସାହାଣମେଲାର ପରମ୍ପରା। ତା'କୁ ତ ବନ୍ଦ କଲ, ଏବେ ଜଗମୋହନରେ ଠିଆ ହେଇ ମଣିଷ ଯାହା ଟିକେ ଦର୍ଶନ କରୁଥିଲା, ସେତକ ବି ସାରିଦେଲ।
ମାଲିକେ, ଆଜି ଧାଡି କଲ, କାଲି ଟିକଟ କରିବ। ଥେଲା ବାଲା ଆଗେ ଯିବେ, ଆଉ ନଥେଲାବାଲା ପଛରେ ଖାଲି ପେଲି ହେବେ।
ଯୋଉ କ୍ଷେତ୍ରରେ ବଡ଼ ସାନ ନାହିଁ ସେଠି କାଳିଆ ପାଖରେ ଧାଡ଼ି କରି ଶୃଙ୍ଖଳା ନାଁରେ ଆରମ୍ଭ ହେବ ପ୍ରକାର ଭେଦ। ତା’ ହେଲେ କାଳିଆକୁ ଆମେ ମୁଣ୍ଡିଆ କାଇଁ ମାରିବୁ ।
ଆରେ କାଳିଆ- ଆମକୁ କୁଣ୍ଢେଇବୁ ବୋଲି ହାତ ଆଗକୁ କାଢିଛୁ ପା'। ଟେକିଦେ ଉପରୁକୁ। ଦୁନିଆ ବଦଳୁଛି ଅମେ ବି ବଦଳିବୁ। ଆଉ ତତେ କୁଣ୍ଢେଇଲେ କାଳେ ଇନିଫେକେସନ ହବ ସେଇ ପାଇଁ ଆମେ ଏଥର ବ୍ରିଟିଶ ଷ୍ଟାଇଲରେ ତତେ ହାଏ- ବାଏ କରିବୁ, ତୁ ତୋ ହାତ ଟେକି ଦେ’।... ସବ୍ ପାଗେଲା କରିଦେଲେ ରେ...। ଏ ନନା, ପାଗେଲା ...ପାଗେଲା।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।