- ଦେବ ରଞ୍ଜନ
ବହୁ ସମୟରେ ଆମେ ଏକ (ଅନ୍ଧ)ବିଶ୍ଵାସ ଭିତରେ ରହିଥାଉ ଯେ ସରକାର ଯାହା କରନ୍ତି ସର୍ବଦା ସାଧାରଣ ଲୋକଙ୍କ ହିତ ପାଇଁ କରିଥା’ନ୍ତି। ନହେଲେ ଆମେ ଲମ୍ବା ଧାଡ଼ିରେ ଦୀର୍ଘ କାଳ ଠିଆ ହୋଇ ଭୋଟ ବା କାହିଁକି ଦେଉଥାନ୍ତେ? ଲାଞ୍ଚ ତ ସମସ୍ତେ ନେଉନାହାନ୍ତି। କିନ୍ତୁ ଆମର ସରକାର ଆମକୁ ବହୁ ସମୟରେ ଧୋକ୍କା ମଧ୍ୟ ଦେଇଥା’ନ୍ତି। ସେହି ଧୋକ୍କାର ଅନେକ ଉଦାହରଣ ମଧ୍ୟରେ ଗୋଟିଏ ହେଲା ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା।
ଜମିକୁ ନେଇ ଜୀବିକା, ଜମିକୁ ନେଇ ସଂସ୍କୃତି। ଜମିକୁ ଦେଇ ଋଣ ଓ ଜମିକୁ ଦେଖାଇ ଜାମିନ ମଧ୍ୟ। ସରକାରୀ ନିୟମରେ ଜମି ହେଲା ସମ୍ପତ୍ତି। ସରକାର ଜମିଦାର। ହେଲେ ଜମି ତ ସୁନା କି ଗହଣା ନୁହେଁ ଯେ ବ୍ୟାଙ୍କ ଲକର ମଧ୍ୟରେ ରଖାଯାଇପାରିବ? ତେବେ ଲ୍ୟାଣ୍ଡ ବ୍ୟାଙ୍କ କଣ?
ଲ୍ୟାଣ୍ଡ ବ୍ୟାଙ୍କର ଅର୍ଥ ହେଲା ଯେ ଜିଲ୍ଲାପାଳଙ୍କ ଅଧୀନରେ ଲ୍ୟାଣ୍ଡ ବ୍ୟାଙ୍କ ନାମକ ରେକର୍ଡ ପ୍ରସ୍ତୁତ ରହିବ, ଯେଉଁଥିରେ ଜିଲ୍ଲାର ସମସ୍ତ ସରକାରୀ, ଗୋଚର, ଜଙ୍ଗଲ ଜମି ଓ ବ୍ୟକ୍ତିଗତ ଜମିର ତାଲିକା ଲିପିବଦ୍ଧ ହୋଇ ରହିବ। ଯେତେବେଳେ ଆବଶ୍ୟକ ହେଲା ତୁରନ୍ତ ୯୯ ବର୍ଷ ଲିଜ ପଟ୍ଟାରେ ଜମି ଯୋଗାଇଦିଆଯିବ। ଜିଲ୍ଲାପାଳଙ୍କୁ ଚାହୁଁଥିବା ବ୍ୟକ୍ତିକୁ ଜମି ଯୋଗାଇଦେବା ଲାଗି ସରକାର-ଜମିଦାରଙ୍କ ଅନୁମୋଦନ ଆବଶ୍ୟକ।
ବ୍ୟାଙ୍କ, ଲ୍ୟାଣ୍ଡ ବ୍ୟାଙ୍କ ଓ ସରକାର
ଯେଉଁ ଜମିର କେହି ଦାବିଦାର ନରହିବେ ସେହି ଜମି ସରକାରଙ୍କର ବୋଲି ଆମେ ଶୁଣି ଆସିଛେ। କିନ୍ତୁ ଜମି ବ୍ୟକ୍ତିଗତ ହେଉ କି ଗୋଷ୍ଠୀଗତ କିମ୍ବା ସରକାରୀ, ସେ ସବୁ ଜମିର ମାଲିକ ଯେ କମ୍ପାନୀ ବା କର୍ପୋରେଟ ହେବେ ଆମେ ସେହି କଥା ଶୁଣିନଥିଲେ। ଏହି କଥା କିନ୍ତୁ ଲ୍ୟାଣ୍ଡ ବ୍ୟାଙ୍କ କରିଦେଇଛି। ଗୋଷ୍ଠୀଗତ ଜମି ଅର୍ଥାତ ଗୋଚର, ଶ୍ମଶାନ, ଗ୍ରାମ୍ୟ ଜଙ୍ଗଲ, ବ୍ୟକ୍ତିଗତ ସବୁ କିଛି ଲ୍ୟାଣ୍ଡ ବ୍ୟାଙ୍କ ଅଧୀନକୁ ଆସିବା ପରେ ତାହାକୁ କମ୍ପାନୀଙ୍କୁ ଦେଇଦିଆଯାଉଛି। ପ୍ରକୃତରେ ଲ୍ୟାଣ୍ଡ ବ୍ୟାଙ୍କର ଘୋଷିତ ନୀତି ହେଲା ଯେଉଁ ଜମି କୌଣସି ବ୍ୟାକ୍ତିର ନୁହେଁ ସେ ସବୁ ଜମି ସରକାରଙ୍କର। ଲ୍ୟାଣ୍ଡ ବ୍ୟାଙ୍କର ଲୁକ୍କାୟିତ ନୀତି ହେଲା ଲ୍ୟାଣ୍ଡ ବ୍ୟାଙ୍କରେ ତାଲିକାଭୁକ୍ତ ସମସ୍ତ ଜମି କର୍ପୋରେଟ ବା କମ୍ପାନୀମାନଙ୍କର।
କଥାକୁ କେବଳ କୁହାଯାଉଛି ଯେ ଲ୍ୟାଣ୍ଡ ବ୍ୟାଙ୍କ ଜମିରେ ଜିଲ୍ଲା ମଧ୍ୟରେ ସ୍କୁଲ ଓ ଡାକ୍ତରଖାନା ତିଆରି କରାଯାଉଛି। କିନ୍ତୁ ଏକଥା କୁହାଯାଉନାହିଁ ଯେ ତାହା କେତେ ପ୍ରତିଶତ। ଯେମିତି ବ୍ୟାଙ୍କ କେବେ ତଥ୍ୟ ଦିଏନାହିଁ ଯେ ସମୁଦାୟ ଋଣର କେତେ ଭାଗ ଶିଳ୍ପପତିଙ୍କ ହାତକୁ ଯାଇଛି, କେଉଁ କେଉଁ ଶିଳ୍ପପତିଙ୍କ ହାତକୁ ଯାଇଛି ଓ କେତେ ପ୍ରତିଶତ ଋଣ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ପାଖକୁ ଯାଇଛି, ସେମିତି ଲ୍ୟାଣ୍ଡ ବ୍ୟାଙ୍କରେ କେତେ ପ୍ରତିଶତ ଜମି କେଉଁ ଭାବରେ ବ୍ୟବହାର ହୋଇଛି ତାହାର ତଥ୍ୟ ଦିଆଯାଇନଥାଏ।
ରାଜ୍ୟ ସରକାରଙ୍କ “ଗୋ ପ୍ଲସ” ଲ୍ୟାଣ୍ଡ ବ୍ୟାଙ୍କ ଯୋଜନାରେ ଗୌତମ ଆଦାନି ମଧ୍ୟ ଗୁଜୁରାଟରେ ଥାଇ ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା– ଅଣଯୋର ଅଞ୍ଚଳରେ ତାଙ୍କର ଆଲୁମିନା ପ୍ଳାଣ୍ଟ ସ୍ଥାପନ ଲାଗି ଲ୍ୟାଣ୍ଡ ବ୍ୟାଙ୍କ ମାଧ୍ୟମରେ ଜମି ମିଳିପାରିବ ସେହି କଥା ଇଣ୍ଟରନେଟ ମାଧ୍ୟମରେ ଜାଣିପାରିବେ। କିନ୍ତୁ ସେହି ରାୟଗଡ଼ା ଜିଲ୍ଲାର ଜମିହୀନ ଆଦିବାସୀ (ଏସଟି) ତାଲିକାଭୁକ୍ତ ଶ୍ରୀଯୁକ୍ତ ମାଝୀ କିମ୍ବା ଏସସି ତାଲିକାଭୁକ୍ତ ଶ୍ରୀଯୁକ୍ତ ନାୟକ କିମ୍ବା ଶ୍ରୀଯୁକ୍ତ ଦାସ ମହାଶୟ ଜୀବନ ସାରା ଆରଆଇ ଅଫିସଠାରୁ ଜିଲ୍ଲାପାଳଙ୍କ ଅଫିସ ଦୌଡ଼ିଥିଲେ ମଧ୍ୟ ସାମ୍ବିଧାନିକ ନିୟମ ଅନୁସାରେ ଏକ ଏକର ଜମି ପାଇବା ଲାଗି (ଯଦିଓ ଅଣଜଳସେଚିତ ପାଞ୍ଚ ଏକର ଜମି ଦେବା ଲାଗି ପ୍ରାବଧାନ ରହିଛି) ମଧ୍ୟ ଯୋଗ୍ୟ ବିବେଚିତ ହୋଇନାହାନ୍ତି।
ସରକାର ବଡ଼ ଜମିଦାର। ସେ ଯାହାକୁ ଚାହିଁବେ ଜମିଦେବେ, ଯେମିତି ବ୍ୟାଙ୍କ ଯାହାକୁ ଚାହିଁବ ଋଣ ଦେବ। ଜାତୀୟକରଣ ବ୍ୟାଙ୍କରେ ଲୋକେ ସଞ୍ଚୟ କରନ୍ତି। ହେଲେ ସେମାନଙ୍କ ଅର୍ଥ ବିଜୟ ମାଲ୍ୟା, ମେହୁଲ ଚୋକସି, ନୀରବ ମୋଦୀ ଓ ଅନ୍ୟ ଅନେକ ବଡ଼ ବ୍ୟବସାୟୀଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ବ୍ୟାଙ୍କ ତରଫରୁ ଦିଆଯାଇଥାଏ। ସାଧାରଣ ଚାଷୀ କି ବ୍ୟବସାୟୀ ବର୍ଷକୁ ଶହେ ଟଙ୍କାରେ ତିରିଶ ଟଙ୍କା ସୁଧରେ ହାତଉଧାରୀ ଋଣ ନିଏ, ମହିଳା ମଣ୍ଡଳଠାରୁ ଅଠର ଟଙ୍କାରେ ସୁଧ ନିଏ ନଚେତ ପ୍ରାଇଭେଟ ବ୍ୟାଙ୍କରୁ ୧୫ ଟଙ୍କା ସୁଧରେ ଋଣ ନେଇଥାଏ।
ସେପଟେ ବଡ଼ ଶିଲ୍ପପତି ବ୍ୟାଙ୍କରୁ ନେଇଥିବା ଋଣକୁ ପରିଶୋଧ ନକରି ନିଜର ବ୍ୟବସାୟରେ ଲଗାଇଦିଅନ୍ତି ଓ ବ୍ୟାଙ୍କ ବିରୁଦ୍ଧରେ କିଛି ଗୋଟିଏ କେସ କରିଦେଇ ସମୟ ନେଇଚାଲନ୍ତି। ସେହିମାନେ ପୁଣି ଦେଶର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଘୋଷିତ ହୋଇଥା’ନ୍ତି।
ଶିଳ୍ପପତିଙ୍କ ପ୍ରତି ରକ୍ତ ବିନ୍ଦୁରେ ଜାତୀୟକରଣ ବ୍ୟାଙ୍କର ପରିଶୋଧ ହୋଇନଥିବା ଋଣର ଗନ୍ଧ ଆସିଥାଏ।
୨୦୨୦ ମସିହାର ତଥ୍ୟ ଅନୁସାରେ ରାଜ୍ୟରେ ସାତ ଲକ୍ଷ ଜମିହୀନ ପରିବାର ରହିଛନ୍ତି। ଲ୍ୟାଣ୍ଡ ବ୍ୟାଙ୍କରୁ ଜମି ଜମିହୀନଙ୍କୁ ଦିଆଯିବାର ସରକାରୀ ନିଷ୍ପତ୍ତି ନାହିଁ। କିନ୍ତୁ ଲ୍ୟାଣ୍ଡ ବ୍ୟାଙ୍କର ଜମି ଉପରେ କମ୍ପାନୀମାନଙ୍କର ବିଶେଷ ଅଥଚ ଅଲିଖିତ ଅଧିକାର ରହିଛି। “ବଡ଼େ ବଡ଼େ ଦେଶୋଁ ମେଁ ଐଶୀ ଛୋଟୀ ଛୋଟୀ ବାତେଁ ହୋତେ ରହେତେଁ ହେଁ, ସେନୋରିତା।”
ରାଜ୍ୟରେ ବିକାଶର ଚିତ୍ର ବଦଳିଛି। ଦିନେ ରାଜ୍ୟରେ କୌଣସି କାରଖାନା ନଥିଲା। ଆମ ଛାତ୍ର ସମୟରେ ବାରଙ୍ଗ କାଚ କାରଖାନା ବିକାଶର ଚିହ୍ନ ବୋଲି ସ୍କୁଲ ବହିରେ ପଢ଼ାଯାଉଥିଲା। ଆଜି କନ୍ଧମାଳ ବା ନୂଆପଡ଼ା ଭଳି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ କୌଣସି ଜିଲ୍ଲା ନାହିଁ ଯେଉଁଠି ସେହି ବିକାଶ ପ୍ରକଳ୍ପ ନପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତି ପଞ୍ଚାୟତରେ ଆଜି ବିକାଶ ଯୋଜନାର ଛତୁ ଫୁଟିଛି।
ବିକାଶର ଚିତ୍ର ବଦଳିଛି। ଆସାମ ଚା’ ବଗିଚାକୁ ଉପକୂଳ ଓଡ଼ିଆ ଦାଦନ ଯିବାର ତଥ୍ୟଗତ ପ୍ରମାଣ ମିଳୁନାହିଁ। କିନ୍ତୁ ୧୯୬୫ ମସିହାରେ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ପ୍ରଥମେ ୧୯୬୫ ଦୁର୍ଭିକ୍ଷ ସମୟରେ କଳାହାଣ୍ଡି ଜିଲ୍ଲାର ଲୋକେ ଯାଇଥିଲେ। ତାହା ଓଡ଼ିଶାର ବହୁଳ ଦାଦନ ଯିବାର ପ୍ରଥମ ଘଟଣା। ଆଜି ଏମିତି କୌଣସି ଜିଲ୍ଲା ନାହିଁ ଯେଉଁ ଜିଲ୍ଲାରୁ ଗରିବ ଲୋକେ ଦାଦନ ଓ ପ୍ରବାସୀ ଶ୍ରମିକ ଭାବରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଯାଉନାହାନ୍ତି।
ପ୍ରଶାସନିକ ଚାଲାକି
ଦେଶରେ ଯେତେ ସବୁ ଡ୍ୟାମ, କାରଖାନା ଓ ଅନ୍ୟ ବୃହତ ପ୍ରକଳ୍ପ ହେଉଥିଲା ତାହା ବ୍ରିଟିଶ ସମୟର ଭୂ-ଅଧିଗ୍ରହଣ ଆଇନ ୧୮୯୪ର ନିୟମ ଅନୁସାରେ କରାଯାଉଥିଲା। ଦୀର୍ଘ ବର୍ଷର ବିଭିନ୍ନ ବିସ୍ଥାପନ ବିରୋଧୀ ଆନ୍ଦୋଳନର ଦାବି ଆଗରେ ସରକାର ମୁଣ୍ଡ ନୂଆଁଇଥିଲେ। ଏହାପରେ ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ( The right to fair compensation and transparency in land acquisition, rehabilitation and resettlement Act, 2013) ପାର୍ଲାମେଣ୍ଟରେ ପାସ ହୋଇଥିଲା।
ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ର ଧାରା ୧୦୧ରେ ଏଥିଲାଗି ଉଲ୍ଲେଖ ରହିଲା ଯେ ଯଦି କୌଣସି ପ୍ରକଳ୍ପ ଲାଗି ଜମି ଅଧିଗୃହୀତ ହୋଇଛି ଅଥଚ ଦୀର୍ଘ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେହି ପ୍ରକଳ୍ପ ନିଜର ଭିତ୍ତି ପ୍ରସ୍ତର ସ୍ଥାପନ କରିପାରିଲା ନାହିଁ ତେବେ ସେହି ଜମିକୁ ଏହାର “ମୂଳ ମାଲିକ ବା ମାଲିକ ବା ଆଇନଗତ ଉତ୍ତରାଧିକାରୀଙ୍କୁ” ଫେରସ୍ତ କରିଦିଆଯିବ। ବିଶେଷ କ୍ଷେତ୍ରରେ ଏହାକୁ “ଅଥବା ସରକାରଙ୍କ ଲ୍ୟାଣ୍ଡ ବ୍ୟାଙ୍କକୁ” ଦିଆଯିବାର ପ୍ରସ୍ତାବ ରହିଲା। ଏହି ନିୟମର ବ୍ୟାଖ୍ୟାରେ (Explanation) ରହିଲା, “ଲ୍ୟାଣ୍ଡ ବ୍ୟାଙ୍କ କହିଲେ ସରକାରୀ ପ୍ରାବଧାନ ଯେଉଁଠି ସରକାରୀ ଅଧିକୃତ ଅବ୍ୟବହୃତ ଓ ଟିକସ-ଅପ୍ରାପ୍ତ ଜମିକୁ ନେଇ” ବ୍ୟବହାର କରିବା। କେବଳ ପାଞ୍ଚ ବର୍ଷ ପରେ କମ୍ପାନୀ ପ୍ରତିଷ୍ଠା କରିନପାରିଲେ ସେହି କମ୍ପାନୀକୁ ଦିଆଯାଇଥିବା ଜମିକୁ ଲ୍ୟାଣ୍ଡ ବ୍ୟାଙ୍କ ରେକର୍ଡରେ ଉଲ୍ଲେଖ ରହିବ ବୋଲି ଆଇନରେ ପ୍ରାବଧାନ ରହିଲା ନା କି ରାଜ୍ୟର ସମସ୍ତ ଜମି।
କୌଣସି କେନ୍ଦ୍ରୀୟ ଆଇନକୁ ସମସ୍ତ ରାଜ୍ୟ ସେହି ଢାଞ୍ଚାରେ ନିୟମ ବା ରୁଲ୍ସ ତିଆରି କରିବା କଥା। ଓଡ଼ିଶା ସରକାର ଯେବେ କେନ୍ଦ୍ର ସରକାରଙ୍କ ଭୂ-ଅଧିଗ୍ରହଣ ଆଇନ, ୨୦୧୩ କାର୍ଯ୍ୟକାରୀ କରିବା ଲାଗି ରୁଲ୍ସ ଆଣିଲେ (୨୦୧୫ ) ସେଥିରେ ସମସ୍ତ ଫେରସ୍ତ ଜମିକୁ କେବଳ ଲ୍ୟାଣ୍ଡ ବ୍ୟାଙ୍କ ଅଧୀନକୁ ନେବାର ପ୍ରସ୍ତାବ ରଖିଲେ। ଏହାର ମୂଳ ମାଲିକଙ୍କୁ ଫେରାଇବାର ପ୍ରବଧାନକୁ ବାତିଲ କରିଦେଲେ। ଅର୍ଥାତ ଗୋଟିଏ କମ୍ପାନୀ ନପାରିଲେ ଆଉ ଗୋଟିଏ କମ୍ପାନୀ ସେହି ଜମି ଉପରେ କାମ କରିବ, ଏହା ଉଦ୍ଦେଶ୍ୟ ରହିଲା।
କେବଳ ଓଡ଼ିଶାର ପ୍ରଶାସନ ଏହି ଚାଲାକି କରିଦେଲେ ତାହା ନୁହେଁ। ଝାଡ଼ଖଣ୍ଡ, ସିକ୍କିମ ଓ ମେଘାଳୟ ପ୍ରଥମ ଦୁଇ ବର୍ଷ ମଧ୍ୟରେ ନିଜର କେନ୍ଦ୍ର ଆଇନର ରୁଲ୍ସ ତିଆରି କରିବାକୁ ଯିବା ବେଳେ ଧାରା ୧୦୧କୁ ସଂପୂର୍ଣ୍ଣ ଉଚ୍ଛେଦ କରିଦେଇ ସମସ୍ତ ଜମି “ଲ୍ୟାଣ୍ଡ ବ୍ୟାଙ୍କ”କୁ ହସ୍ତାନ୍ତର କରିବା ଲାଗି ଉଲ୍ଲେଖ କଲେ। ପରେ ପରେ ହରିୟାନା (୨୦୧୭), ଆନ୍ଧ୍ର ପ୍ରଦେଶ (୨୦୧୮) ଓ କର୍ଣ୍ଣାଟକ (୨୦୧୯) ଇତ୍ୟାଦି ରାଜ୍ୟ ମୂଳ ଆଇନକୁ ବଦଳାଇଦେଲେ।
ଆଜି ବି ଲ୍ୟାଣ୍ଡ ବ୍ୟାଙ୍କ ଲାଗି ଏକ ମାତ୍ର ଆଇନଗତ ସମର୍ଥନ କେବଳ ଏହି ଜମି ଅଧିଗ୍ରହଣ ଆଇନ, ୨୦୧୩ ଧାରା ୧୦୧ ବ୍ୟତୀତ ଅନ୍ୟ କୌଣସି ପ୍ରାବଧାନ ନାହିଁ। ଏହା କେବଳ କର୍ପୋରେଟଙ୍କ ସ୍ଵାର୍ଥ ରକ୍ଷା ଲାଗି କରାଗଲା। କେବେ ଆମେ ଗାଉଥିଲେ, “ମେରେ ଦେଶ କି ଧରତି ସୋନା ଉଗ୍ଲେ ଉଗ୍ଲେ ହୀରେ ମୋତି ମେରେ ଦେଶ କି ଧରତି”। ଏବେ କିନ୍ତୁ ଆମେ ଗାଇବା, “ମେରେ ଦେଶ କି ଧରତି, ଆମ୍ବାନୀ-ଆଦାନି ଉଗ୍ଲେ ଉଗ୍ଲେ ଜିନ୍ଦଲ-ମିତ୍ତଲ ମେରେ ଦେଶ କି ଧରତି।“ ଏହା କ’ଣ ଉତ୍ତମ ବିକଳ୍ପ ନୁହେଁ?
ବିଶ୍ଵବ୍ୟାଙ୍କ ଯୋଜନା
ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଦେଶରେ ପ୍ରଥମେ ଓଡ଼ିଶା ସରକାର ନୂତନ ଶିଳ୍ପ ନୀତି ୨୦୦୧ରେ ଉଲ୍ଲେଖ କରିଥିଲେ। ସେହି ବର୍ଷ ଜାତିସଂଘ ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପ ନୀତିରେ ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ କୃଷି ଜମି ହସ୍ତାନ୍ତରକୁ ଦୃଢ଼ ଭାବରେ ନିନ୍ଦା କଲେ। ଏହା ପରେ ବେଶ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା।
ଶିଳ୍ପ ବିକାଶ କ୍ଷେତ୍ରରେ ରାଜ୍ୟମାନଙ୍କର ବିଶେଷ ଭୂମିକା ସମ୍ପର୍କରେ ମନମୋହନ ସିଂହଙ୍କ ସରକାର ୨୦୧୦ ମସିହାରେ ପୁଣି ପ୍ରସ୍ତାବ ଆଣିଲେ। ଏହାପରେ ୨୦୧୦ ମସିହାରୁ ବିଭିନ୍ନ ରାଜ୍ୟ ବିଶ୍ଵ ପୁଞ୍ଜି ଲଗାଣକାରୀଙ୍କ ଲାଗି World Investors Meet ଆୟୋଜନ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ରାଜ୍ୟମାନେ ହେଲେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଗୁଜୁରାଟ ଇତ୍ୟାଦି ରାଜ୍ୟ। ଏହି ସମସ୍ତ ରାଜ୍ୟ ନିଜର ଶିଳ୍ପ ନୀତିରେ ଲ୍ୟାଣ୍ଡ ବ୍ୟାଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ନୀତି ବା ଆଇନଗତ ନିର୍ଦ୍ଦେଶ କୌଣସି ରାଜ୍ୟ ତିଆରି କରିପାରିନଥିଲେ। ଏହା କେବଳ ଏକ ସରକାରୀ ବିଚାର ଭାବରେ ସର୍ବଦା ରହିଥିଲା।
୨୦୧୦ ମସିହାର ବିଶ୍ଵ ବ୍ୟାଙ୍କ ଭାରତରେ କର୍ପୋରେଟ ବା ବୃହତ କମ୍ପାନୀମାନଙ୍କ ଲାଗି ବ୍ୟବସାୟରେ ସହଜ ହେବା ଉଦ୍ଦେଶ୍ୟରେ (Easy of doing business) ରାଙ୍କିଙ୍ଗ ପ୍ରକ୍ରିୟା ଆରମ୍ଭ କରେ। ବିଶ୍ଵ ବ୍ୟାଙ୍କ ବିଭିନ୍ନ ରାଜ୍ୟମାନଙ୍କ ଉଦ୍ଦେଶ୍ୟରେ ନିଜର ରିପୋର୍ଟରେ ଉଲ୍ଲେଖ କରେ, “ରାଜ୍ୟମାନେ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଲାଗି ଉଦ୍ୟମ କରୁଛନ୍ତି କିନ୍ତୁ ଏ ଦିଗରେ ସ୍ପଷ୍ଟ ନିର୍ଦ୍ଦେଶାବଳୀର ଆବଶ୍ୟକତା ରହିଛି।“
ଲ୍ୟାଣ୍ଡ ବ୍ୟାଙ୍କ ପ୍ରକ୍ରିୟାକୁ ଉଭୟ ଆମେରିକା ଓ ଇଂଲଣ୍ଡରେ ବିରୋଧ କରାଯାଇଥିବା ସତ୍ତ୍ୱେ ବିଶ୍ଵ ବ୍ଯାଙ୍କ ବିଭିନ୍ନ ତୃତୀୟ ବିଶ୍ଵର ଦେଶମାନଙ୍କରେ ଏହି ପ୍ରକ୍ରିୟା ଲାଗି ଚାପ ସୃଷ୍ଟି କରିଥିଲା। Easy of doing business ରାଙ୍କିଙ୍ଗରେ ୨୦୧୧ ମସିହାରେ ବିଶ୍ଵର ୧୯୦ ଦେଶ ମଧ୍ୟରୁ ଭାରତ ୧୩୪ ସ୍ଥାନରେ ଥିଲା। ୨୦୧୩ ମସିହାରେ ଏହା ୧୩୨ତମ ସ୍ଥାନକୁ ଆସିଲା।
ଏହି ୨୦୧୩ ମସିହାରେ ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଆଇନ ଆସିଲା। ଏଥିରେ ପ୍ରଥମରେ ଲ୍ୟାଣ୍ଡ ବ୍ୟାଙ୍କକୁ ଅତି ସୂକ୍ଷ୍ମ ସ୍ତରରେ ଆଇନଗତ ମାନ୍ୟତା ଦିଆଗଲା। ଏହାର କିଛି ବର୍ଷ ପରେ ଅନେକ ରାଜ୍ୟ ନିଜର ଲ୍ୟାଣ୍ଡ ବ୍ୟାଙ୍କ ରୁଲ୍ସ ଆଣିଥିଲେ ଯାହା ଉପରେ ବର୍ଣ୍ଣନା କରିଛି। ପୁଣି ୨୦୧୮ ମସିହା ବେଳକୁ ବିଶ୍ଵ ବ୍ୟାଙ୍କର Easy of doing business ରାଙ୍କିଙ୍ଗରେ ଉନ୍ନତି ଆସି ୧୩୨ରୁ ଏହା ୧୦୦ରୁ କମକୁ ଖସି ଆସିଲା।
ଯଦିଓ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଏକ ମାତ୍ର କାରଣ ନୁହେଁ, କିନ୍ତୁ କମ୍ପାନୀଙ୍କ ଲାଗି ଭାରତ ଯେ ଏବେ ଉତ୍ତମ ସ୍ଥାନ ସେଥିଲାଗି ବିଶ୍ଵବ୍ୟାଙ୍କ ପ୍ରସ୍ତାବିତ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଏକ ପ୍ରମୁଖ କାରଣ ମଧ୍ୟ।
ଓଡ଼ିଶା ସରକାର ଆଉ ଏକ ପାଦ ଆଗେଇ ଯାଇ ଲ୍ୟାଣ୍ଡ ବ୍ୟାଙ୍କ ସଂକ୍ରାନ୍ତୀୟ ସ୍ଵତନ୍ତ୍ର ରୁଲ୍ସ ତିଆରି କରିଛନ୍ତି। ଶିଳ୍ପର ବିକାଶ ଉଦ୍ଦେଶ୍ୟରେ କେବଳ ଜିଲ୍ଲା ସ୍ତରରେ ନୁହେଁ ସବଡିଭିଜନ ସ୍ତରରେ ମଧ୍ୟ ତହସିଲଦାରଙ୍କ ଅଧୀନରେ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଲାଗି ନିୟମ ବା ରୁଲ୍ସ ରାଜ୍ୟ ସରକାର ତିଆରି କରିଛନ୍ତି। ଏଥିରେ ଦୁଇ ଫସଲିଆ ଜଳସେଚିତ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବ (ରୁଲ୍ସ ୨୦୧୬), ଇଡକୋକୁ (Odisha Industrial Infrastructure Development Corporation) ଲ୍ୟାଣ୍ଡ ବ୍ୟାଙ୍କ ଲାଗି ଜମି ଅନୁସନ୍ଧାନ ଓ ହସ୍ତାନ୍ତର ଅଧିକାର ଦିଆଯିବା (ରୁଲ୍ସ ୨୦୧୯) ଇତ୍ୟାଦି ରହିଛି।
ଯଦିଓ କେନ୍ଦ୍ର ସରକାରଙ୍କ ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ରେ ଜମି ଅଧିଗ୍ରହଣ ଲାଗି ଦୁଇ ଫସଲିଆ ଚାଷ ଜମିକୁ ବାଦ ଦିଆଯିବାର ନିୟମ ରହିଛି, କିନ୍ତୁ ରାଜ୍ୟ ସରକାର ମୂଳ ଆଇନର ବିରୁଦ୍ଧରେ କାର୍ଯ୍ୟ କରିଚାଲିଛନ୍ତି। ରାଜ୍ୟର ସମସ୍ତ ପ୍ରକାରର ଜମିକୁ ଲ୍ୟାଣ୍ଡ ବ୍ୟାଙ୍କରେ ଗଚ୍ଛିତ କରିଛନ୍ତି।
ଜନସ୍ୱାର୍ଥ ମାମଲା
ବିଭିନ୍ନ ରାଜ୍ୟ ନୂତନ ଜମି ଅଧିଗ୍ରହଣ ଆଇନ, ୨୦୧୩ର ମୂଳ ଉଦ୍ଦେଶ୍ୟକୁ ବଦଳାଇଦେଇଥିବାରୁ ସୁପ୍ରିମ କୋର୍ଟରେ ଜନ ସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ରାଜ୍ୟମାନଙ୍କ ଏହି ନୂତନ ସଂଶୋଧନ ସମ୍ବିଧାନର ଧାରା ୧୪ (ସମାନତାର ଅଧିକାର) ଓ ଧାରା ୨୧ (ଜୀବନର ଅଧିକାର)ର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଯାଇଛି। କିନ୍ତୁ ଏହା ଏବେ ବି ବିଚାରାଧୀନ ରହିଛି। ସୁପ୍ରିମ କୋର୍ଟ କୌଣସି ମଧ୍ୟବର୍ତ୍ତୀ ଅର୍ଡର ଦେଇନଥିବା କାରଣରୁ ରାଜ୍ୟ ସରକାର ଅତ୍ୟନ୍ତ ଅମାନୁଷିକ ଭାବରେ ବର୍ଷ ବର୍ଷର ଚାଷ ଜମି, ଜଙ୍ଗଲ ଜମି ଓ ଗୋଷ୍ଠୀ ଜମି ଉପରେ ଶିଳ୍ପ କାରଖାନା ବସାଇବା ଲାଗି ବୃହତ କମ୍ପାନୀମାନଙ୍କୁ ଲିଜ ଦେଇଚାଲିଛନ୍ତି।
କାସ୍! ଏହି ତତ୍ପରତା ହେଲେ ଜମିହୀନଙ୍କ ପରିବାର ଲାଗି ଦେଖାଇଥାନ୍ତେ! ସତେରେ ରାଜ୍ୟର ମରୁଡ଼ି, ଦୁର୍ଭିକ୍ଷ, ଦାଦନ ଇତ୍ୟାଦିର ଚିତ୍ର ଭିନ୍ନ ହୋଇଥାନ୍ତା।
ସାମୁଏଲ ଦାନୀ ନିଜର ପ୍ରଥମ ଉପନ୍ୟାସ ‘ମରୁଡ଼ି ୧୯୬୫’ରେ ଉଲ୍ଲେଖ କରିଛନ୍ତି, “ମରୁଡ଼ିରେ ଅଧିକାରୀମାନେ କେତେ ହିଂସ୍ର ହେଲେ! ଜଙ୍ଗଲର ବାଘଭାଲୁଠାରୁ ମଧ୍ୟ ଅଧିକ ହିଂସ୍ର। ଫରେଷ୍ଟର, ଫରେଷ୍ଟ ଗାର୍ଡ, ପୋଲିସ, ଅମିନ-ଆରଆଇ ଅଧିକାରୀ ସମସ୍ତେ ହିଂସ୍ର ହେଲେ। ଅନେକ ରକ୍ତମୁଖା ବାଘ ଭଳି ଶିକାରକୁ ଜଗି ବସିଲେ। ସେଇ ସାମାଜିକ ଉଲଗ୍ନତା ଥିଲାବାଲାଙ୍କୁ ଦିଶାଶୂନ୍ୟ କଲା, ନୀତିଶୂନ୍ୟ କଲା।‘
କେବଳ ମରୁଡ଼ି କାହିଁକି? ଏହି ଶିଳ୍ପ ବିକାଶର ସ୍ଵପ୍ନ ସମସ୍ତଙ୍କୁ ଦିଶାଶୂନ୍ୟ ଓ ନୀତିଶୂନ୍ୟ କରିଦେଇଛି।
ମୋବାଇଲ- ୮୪୫୬୯୩୧୪୨୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।