ତୁର୍କୀର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ମେ, ୨୦୨୩ରେ ଅନୁଷ୍ଠିତ ନିର୍ବାଚନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦେଶ ଓ ଦେଶ ବାହାରେ ରହୁଥିବା ପ୍ରାୟ ସାଢ଼େ ୬ କୋଟି ତୁର୍କୀ ମତଦାତା ଅଂଶଗ୍ରହଣ କରିଥିବା ଏହି ନିର୍ବାଚନର ଫଳାଫଳ ଉପରେ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରିତ ଥିଲା। କାରଣ ଗୋଟିଏ ପଟେ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଶକ୍ତିଶାଳୀ ରାଷ୍ଟ୍ରପତି ଏର୍ଦୋଆନ ଥିଲା ବେଳେ ତାଙ୍କ ବିପକ୍ଷରେ ଥିବା ଅପେକ୍ଷାକୃତ ଅନଭିଜ୍ଞ କ୍ଲୁଚଦାରୋଲୁଙ୍କ ପଛରେ ଥିଲା ପ୍ରବଳ ଜନ ସମର୍ଥନ। ନିର୍ବାଚନରେ ଏର୍ଦୋଆନଙ୍କ ପରାଜୟର ପୂର୍ବାନୁମାନ କରାଯାଉଥିଲା ବେଳେ ତାଙ୍କର ବିଜୟ ଅନେକଙ୍କୁ କେବଳ ଯେ ବିସ୍ମିତ କରିଛି ତାହା ନୁହେଁ, ବରଂ ଦେଶର ଶାସନ ଓ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ତା’ର କି ପ୍ରଭାବ ପଡ଼ିବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାକୁ ଲାଗିଲାଣି।
ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ନ୍ୟାୟ ଓ ବିକାଶ ଦଳ (ଏକେ ପାର୍ଟି)ର ନେତା ରିଚେପ ତାୟିପ ଏର୍ଦୋଆନ ୪ ଦଳୀୟ ପିପୁଲସ୍ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ରିପବ୍ଲିକାନ ପିପୁଲସ୍ ପାର୍ଟିର ନେତା କେମାଲ କ୍ଲୁଚଦାରୋଲୁ ଯେ ୬ ଦଳୀୟ ନ୍ୟାସନାଲ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିଲେ। ମେ ୧୪, ୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦଫା ନିର୍ବାଚନରେ ଏର୍ଦୋଆନ ୪୯.୫ ପ୍ରତିଶତ ଭୋଟ ପାଇ ଆଗରେ ଥିଲେ ମଧ୍ୟ ସେ ଆବଶ୍ୟକ ୫୦ ପ୍ରତିଶତ ଭୋଟ ପାଇବାକୁ ସମର୍ଥ ହୋଇ ନଥିବାରୁ ମେ ୨୮ରେ ଦ୍ୱିତୀୟ ଦଫା (ରନ୍ ଅଫ୍) ନିର୍ବାଚନ ଅନୁଷ୍ଠିତ ହେଲା। ଶେଷରେ ୫୨ ପ୍ରତିଶତ ଭୋଟ ପାଇ ଏର୍ଦୋଆନ ତୁର୍କୀର ପରବର୍ତ୍ତୀ ରାଷ୍ଟ୍ରପତି ରୂପେ ପୁନର୍ବାର ନିର୍ବାଚିତ ହେଲେ।
ଫେବୃଆରୀ ୨୦୨୩ରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୫୦,୦୦୦ ଲୋକଙ୍କ ପ୍ରାଣହାନି, ଭୂମିକମ୍ପ ପରବର୍ତ୍ତୀ ପୁନର୍ବାସନ କାର୍ଯ୍ୟରେ ତତ୍ପରତାର ଅଭାବ, ଉଚ୍ଚ ମୁଦ୍ରାସ୍ଫୀତି ହାର, ତୁର୍କୀର ଦୁର୍ବଳ ଅର୍ଥନୈତିକ ଅବସ୍ଥା ଆଦି କାରଣଗୁଡ଼ିକ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷର ପ୍ରମୁଖ କାରଣ ଥିଲା। ଏଥି ସହ ତାଙ୍କ ଦୁର୍ବଳ ବିଦେଶ ନୀତି ତଥା ଆର୍ଥିକ ଅସଦାଚରଣ ଯୋଗୁଁ ବିଦେଶରେ ଜାତୀୟ ସ୍ୱାର୍ଥକୁ ସେ ଠିକ୍ ଢଙ୍ଗରେ ଉପସ୍ଥାପନ କରିବାକୁ ଅସମର୍ଥ ଥିଲେ ବୋଲି ଅଭିଯୋଗ ହୁଏ। ଦେଶର ସମସ୍ତ ଶକ୍ତିଶାଳୀ ଗଣତାନ୍ତ୍ରିକ, ସ୍ୱଚ୍ଛ ସରକାରୀ ଅନୁଷ୍ଠାନଗୁଡ଼ିକୁ ସେ ଦୁର୍ବଳ ବା ନଷ୍ଟ କରିସାରିଥିଲେ। ସେ ଜଣେ ଇସଲାମବାଦୀ ଓ ତାହା ତାଙ୍କର ନୀତିରେ ପ୍ରତିଫଳିତ ହେଉଥିବାରୁ ତାହା ତୁର୍କୀକୁ ବିଭିନ୍ନ ସମୟରେ ଅସହଜ ପରିସ୍ଥିତିରେ ପକାଇ ଆସିଛି। ଅତୀତରେ ତାଙ୍କ ମେଣ୍ଟରେ ଥିବା କିଛି ଆତଙ୍କବାଦୀ ସଙ୍ଗଠନକୁ ସେ ଜାତୀୟ ଗୁପ୍ତ ତଥ୍ୟ ବିକ୍ରି କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏହିପରି ଅନେକ କାରଣ ଯୋଗୁ ଏଥର ଏର୍ଦୋଆନ ନିଶ୍ଚିତ ଭାବେ ଗାଦିଚ୍ୟୁତ ହେବେ ବୋଲି ପୂର୍ବାନୁମାନ କରାଯାଉଥିଲା। ଏହା ସତ୍ତ୍ୱେ ତାଙ୍କ ବିଜୟ ଅନେକଙ୍କୁ ବିସ୍ମିତ କରିଛି।
ତେବେ ପୂର୍ବ ସରକାରଗୁଡ଼ିକ ଦ୍ୱାରା ପ୍ରତାରିତ ହୋଇଥିବାରୁ ଏବେ ମଧ୍ୟ ତୁର୍କୀର ଅଧିକାଂଶ ଗରିବ ଶ୍ରେଣୀର ରୁଢ଼ିବାଦୀ ଓ ଧାର୍ମିକ ଲୋକ ଏର୍ଦୋଆନଙ୍କୁ ସେମାନଙ୍କର ତ୍ରାଣକର୍ତ୍ତା ରୂପେ ବିବେଚନା କରନ୍ତି। ବିନା ବିଦେଶୀ ପ୍ରଭାବ ଓ ସହାୟତାରେ ତୁର୍କୀକୁ ସେ ପୁଣି ଥରେ ଏକ ବିଶ୍ୱ ଶକ୍ତିରେ ପରିଣତ କରିବାର ଏପରି ସ୍ୱପ୍ନ ଦେଖାଇଛନ୍ତି ଯେ ଅନେକଙ୍କ ଭିତରେ ତାଙ୍କୁ ଅନ୍ଧ ଭାବେ ବିଶ୍ୱାସ କରି ଏକ ଜାତୀୟତାବାଦୀ ଚେତନାର ଉଦ୍ରେକ ହୋଇଛି। ସେମାନଙ୍କ ଦୃଷ୍ଟିରେ ଏର୍ଦୋଆନ ଏମିତି ଜଣେ ଅଦ୍ୱିତୀୟ ଶକ୍ତିଶାଳୀ ନେତା ଯିଏ ବିଶ୍ୱର ଯେକୌଣସି ନେତାଙ୍କ ସହ ସ୍ୱାଭିମାନର ସହ ସମାସ୍କନ୍ଧ ଭାବେ କଥା ହୋଇପାରନ୍ତି। ନିର୍ବାଚନରେ ଅନ୍ୟାୟ ଭାବେ ସରକାରୀ ସମ୍ୱଳ ଓ ସରକାରୀ କଳର ଅପବ୍ୟବହାର କରି ସେ ବିଜୟ ଲାଭ କରିଥିବାର ଅଭିଯୋଗ ହେଉଛି । ବିରୋଧୀ ଦଳଗୁଡ଼ିକ ଯେପରି ରେଡ଼ିଓ ଓ ଟେଲିଭିଜନରେ ପ୍ରଚାର କରିବା ପାଇଁ ଅଧିକ ସମୟ ନ ପାଆନ୍ତି ଓ ଡିଜିଟାଲ ମାଧ୍ୟମରେ ସେମାନଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ନ ପହଞ୍ଚେ ତାହା ସେ ସୁନିଶ୍ଚିତ କରିଥିବାର ମଧ୍ୟ ଅଭିଯୋଗ ହୁଏ। ବିରୋଧୀ ଦଳଗୁଡ଼ିକ କିପରି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ସମ୍ପର୍କିତ, ସେମାନେ କ୍ଷମତାକୁ ଆସିଲେ କିପରି ଏଲଜିବିଟିକ୍ୟୁମାନଙ୍କୁ ଅଧିକାର ପ୍ରଦାନ କରି ଦେଶର ସଂସ୍କୃତିକୁ ପତନାଭିମୁଖୀ କରିବେ, ଏହି ସବୁ ଭୟ ଦେଖାଇ ଏର୍ଦୋଆନ ଧ୍ରୁବୀକରଣ ମାଧ୍ୟମରେ ଦେଶବାସୀଙ୍କୁ ବିଭାଜିତ କରିବା ପାଇଁ ପ୍ରୟାସ କରି ସଫଳ ହେଲେ ବୋଲି କୁହାଯାଇଛି। ଧ୍ରୁବୀକରଣ ଯୋଗୁଁ ବର୍ତ୍ତମାନ ସମଗ୍ର ତୁର୍କୀର ଅଧିବାସୀ ଧର୍ମନିରପେକ୍ଷ ଓ ରୁଢ଼ିବାଦୀ ମୁସଲମାନ ଏହିପରି ଦୁଇଟି ଗୋଷ୍ଠୀରେ ସ୍ପଷ୍ଟ ରୂପେ ବିଭାଜିତ, ଯାହା ଦେଶ ପାଇଁ କ୍ଷତିକାରକ।
୧୯୫୪ରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଏର୍ଦୋଆନ ୧୯୯୪ରେ ଇସ୍ତାନବୁଲ ନଗରର ମେୟର ରୂପେ ନିର୍ବାଚିତ ହୋଇଥିଲେ। ସେ ୨୦୦୧ରେ ଏକ ନୂଆ ଦଳ ଗଠନ କରିଥିଲେ ଓ ୨୦୦୨ରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ୨୦୦୩ରେ ସେ ତୁର୍କୀର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲଗାତାର ୩ ଥର ସେହି ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ତାଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ତୁର୍କୀରେ ଦ୍ରୁତ ଅର୍ଥନୈତିକ ଅଗ୍ରଗତି ସମ୍ଭବ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏତିକିବେଳେ ସେ ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପମାନ ପ୍ରତିଷ୍ଠାକୁ ଅଗ୍ରାଧିକାର ଦେଇ ତୁର୍କୀର ଆଧୁନିକୀକରଣ କରିବାର ପ୍ରୟାସ କରିଥିଲେ। କ୍ରମେ ସେ ଏକଚ୍ଛତ୍ରବାଦୀ ହେବାକୁ ଲାଗିଲେ। କୁହାଯାଏ ସେ ଅଟୋମନ ସାମ୍ରାଜ୍ୟର ଜଣେ ସୁଲତାନ ରୂପେ ଆଚରଣ କରୁଥିଲେ, ଜଣେ ଗଣତାନ୍ତ୍ରିକ ବ୍ୟକ୍ତି ଭାବେ ନୁହେଁ।
୨୦୧୪ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବାର ସମ୍ଭାବନା ନ ଥିବାରୁ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କଲେ। ତେବେ ସେତେବେଳେ ରାଷ୍ଟ୍ରପତି ପଦ ଏକ ଆଳଙ୍କାରିକ ପଦ ଥିଲା। ତୁର୍କୀକୁ ବିଶ୍ୱର ୧୦ଟି ବଡ଼ ଅର୍ଥନୀତି ମଧ୍ୟରେ ସାମିଲ କରିବାର ଲକ୍ଷ୍ୟ ନେଇ ସେ ସମ୍ୱିଧାନରେ ବ୍ୟାପକ ପରିବର୍ତ୍ତନ କଲେ। ୨୦୧୫ରେ କିଛି ମାସ ପାଇଁ ତାଙ୍କ ଦଳ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲା। ସେହିପରି ୨୦୧୬ରେ ତାଙ୍କୁ ଗାଦିଟ୍ୟୁତ କରିବା ଲାଗି ହୋଇଥିବା ଏକ ଷଡ଼ଯନ୍ତ୍ର ବିଫଳ ହୋଇଥିଲା। ୨୦୧୭ରେ ହୋଇଥିବା ଏକ ଗଣଭୋଟରେ ରାଷ୍ଟ୍ରପତିଙ୍କୁ ଯଥେଷ୍ଟ କ୍ଷମତା ପ୍ରଦାନ କରାଗଲା। ଏହାପରେ ୨୦୧୮ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ଏହିପରି ଦୀର୍ଘ ୨୦ ବର୍ଷ ଧରି ତୁର୍କୀର ଶାସନ କ୍ଷମତା ତାଙ୍କ ହାତରେ ରହିଆସିଛି।
୨୦୧୮ରେ ସବୁ କ୍ଷମତା ରାଷ୍ଟ୍ରପତିଙ୍କଠାରେ କେନ୍ଦ୍ରିତ ହେଲା ପରେ ଓ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ଯୋଗୁଁ ନ୍ୟାୟତନ୍ତ୍ର, ଅମଲାତନ୍ତ୍ର, ଗଣମାଧ୍ୟମକୁ ହାତମୁଠାରେ ରଖିବା ପାଇଁ ତାଙ୍କର ପ୍ରବୃତ୍ତି ଓ କ୍ଷମତା ଯଥେଷ୍ଟ ବଢ଼ିଯାଇଛି। ଏପରିକି ତାଙ୍କ ବିରୋଧୀମାନଙ୍କୁ ଜେଲରେ ପୂରାଇବା ପାଇଁ ସେ କୁଣ୍ଠାବୋଧ କରିନାହାନ୍ତି। ତାଙ୍କୁ ବିରୋଧ କରି ଜେଲଦଣ୍ଡ ଭୋଗୁଥିବା ସଂଖ୍ୟାଧିକ ଲେଖକ, ସାମ୍ୱାଦିକ, ଶିକ୍ଷାବିତଙ୍କ ଜେଲରୁ ମୁକୁଳିବାର ଆଶା ତାଙ୍କ ବିଜୟ ସହ ଏକ ପ୍ରକାର ମଉଳି ଯାଇଛି। ଯେକୌଣସି ଶାସକ ଏହିପରି ନିରଙ୍କୁଶ ହୋଇଗଲେ ଗଣତନ୍ତ୍ର ବିପନ୍ନ ହେବାର ଆଶଙ୍କା ଦେଖା ଦେଇଥାଏ। ସେହିଭଳି ଶାସକଟିଏ ପୁନଃନିର୍ବାଚିତ ହେଲେ ତା’ର ନିରଙ୍କୁଶତା ଅଧିକ ବୃଦ୍ଧି ପାଇବାର ଆଶଙ୍କା ବଢ଼ିଯାଇଥାଏ। ତେଣୁ ତୁର୍କୀର ଭୂ-କୌଶଳଗତ ଅବସ୍ଥିତିର ବିଶେଷତାକୁ ଦୃଷ୍ଟିରେ ରଖି ସେଠାରେ ଏକ ଉନ୍ନତ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟ କରିବା ବିଭିନ୍ନ ଦେଶର ସ୍ୱାର୍ଥରେ ହୋଇଥିବା ବେଳେ ଏର୍ଦୋଆନଙ୍କ ପୁନଃ ନିର୍ବାଚନ ତୁର୍କୀରେ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରିଛି।
ଏର୍ଦୋଆନ ପୁନର୍ବାର ୫ ବର୍ଷ ଲାଗି କ୍ଷମତାସୀନ ହୋଇଥିଲେ ବି ତାଙ୍କ ସମ୍ମୁଖରେ ଉଭୟ ଦେଶ ଭିତରେ ଓ ବାହାରେ ଅନେକ ଆହ୍ୱାନ ରହିଛି। ତାଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ପାଇଁ ଦେଶରେ ମୁଦ୍ରାସ୍ଫୀତି ହାର ଅକ୍ଟୋବର ୨୦୨୨ରେ ୮୫ ପ୍ରତିଶତ ଯାଏଁ ବଢ଼ି ଯାଇଥିଲା, ଯଦିଓ ଠିକ୍ ନିର୍ବାଚନ ପୂର୍ବରୁ ତାହା ୪୦ ପ୍ରତିଶତକୁ ଖସି ଆସିଥିଲା। ଫଳରେ ଦୈନନ୍ଦିନ ଆବଶ୍ୟକତାର ପ୍ରତିଟି ବସ୍ତୁର ଦର ଆକାଶଛୁଆଁ ହୋଇ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ତେବେ ଠିକ୍ ନିର୍ବାଚନ ପୂର୍ବରୁ ମାଗଣା ଗ୍ୟାସ ନୀତି, ସର୍ବନିମ୍ନ ମଜୁରୀ ନୀତି ଓ ପେନସନ ବୃଦ୍ଧି ଆଦି ମାଧ୍ୟମରେ ସେ ମୁଦ୍ରାସ୍ଫୀତି ହାରକୁ କିଛି ପରିମାଣରେ ହ୍ରାସ କରିବାକୁ ସମର୍ଥ ହୋଇଥିଲେ ବି ସେହି ନୀତିକୁ ଦୀର୍ଘ ଦିନ ଧରି ଅନୁସରଣ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ।
ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକର ରାଷ୍ଟ୍ରନେତାଙ୍କ ମଧ୍ୟରେ ଏର୍ଦୋଆନଙ୍କ ରୁଷିଆ ପ୍ରତି କୋମଳ ଆଭିମୁଖ୍ୟ ଯୋଗୁଁ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଇଥାଏ। ବସ୍ତୁତଃ ସେ ପ୍ରାଚ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ନିଜ ସମ୍ପର୍କକୁ ସନ୍ତୁଳିତ ଭାବେ ଆଗେଇ ନେବାକୁ ଚେଷ୍ଟା କରନ୍ତି। ଗୋଟିଏ ପକ୍ଷରେ ସେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇ ଦେବା ସହ ୟୁକ୍ରେନର ଖାଦ୍ୟାନ୍ନ କିପରି ବାହାରକୁ ରପ୍ତାନୀ ହୋଇ ବିଶ୍ୱବାସୀ ଉପକୃତ ହୋଇପାରିବେ ତାହା ସୁନିଶ୍ଚିତ କଲା ବେଳେ ପଶ୍ଚିମା ଦେଶଗୁଡ଼ିକ ରୁଷିଆ ଉପରେ ଅର୍ଥନୈତିକ ଓ ଅନ୍ୟାନ୍ୟ କଟକଣା ଲଗାଇଥିଲେ ବି ଏର୍ଦୋଆନ ସେଥିରୁ ନିବୃତ୍ତ ରହିବା ସହ ପୁଟିନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଉଚିତ ମଣନ୍ତି। ଏପରିକି ତୁର୍କୀରେ ପ୍ରତିବନ୍ଧିତ କୁର୍ଦିସ୍ତାନ ୱାର୍କର୍ସ ପାର୍ଟିର (ପିକେକେ)ର ସଦସ୍ୟମାନଙ୍କୁ ସ୍ୱିଡ଼େନ ଓ ଫିନଲାଣ୍ଡ ଆଶ୍ରୟ ଦେଇଥିବାର ଆଳ ଦେଖାଇ ଉଭୟ ଦେଶଙ୍କ ନାଟୋ ସଦସ୍ୟତା ହାସଲରେ ସେ ବାଧା ଉତ୍ପନ୍ନ କରିବାକୁ ପଛାଇ ନାହାନ୍ତି, ଯାହା ପରୋକ୍ଷରେ ରୁଷିଆକୁ ସାହାଯ୍ୟ କରୁଛି।
ଏର୍ଦୋଆନ ଜଣେ ମୌଳ ଚିନ୍ତାଧାରାର ମୁସଲମାନ। ତୁର୍କୀର ଶିକ୍ଷା ବ୍ୟବସ୍ଥା ଭିତରେ ‘ଇମାମ-ହାତିପ’ ସ୍କୁଲଗୁଡ଼ିକର ପ୍ରତିଷ୍ଠା ଓ ପ୍ରସାର ତାଙ୍କର ଏକ ପ୍ରିୟ ପ୍ରକଳ୍ପ। ସେଠାରେ ଶିକ୍ଷା ଲାଭ କରୁଥିବା ଛାତ୍ରମାନେ ଯେପରି ଭଲ ଇମାମ ଓ ପ୍ରଚାରକ ହେବା ସହିତ ଭବିଷ୍ୟତରେ ନେତୃତ୍ୱ ନେବାକୁ ସକ୍ଷମ ହେବେ ତାହା ହିଁ ଏହି ଶିକ୍ଷା ବ୍ୟବସ୍ଥାର ଅନ୍ୟତମ ଉଦ୍ଦେଶ୍ୟ। ଏହା ଦ୍ୱାରା ଶତାଧିକ ବର୍ଷ ଧରି ତୁର୍କୀରେ ଯେଉଁ ଧର୍ମନିରପେକ୍ଷତା ତା’ର ଚେର ଭିଡ଼ି ରଖିଛି ତାକୁ ଦୁର୍ବଳ କରାଯିବା ସହ ଧର୍ମନିରପେକ୍ଷତାର ପ୍ରଭାବକୁ ହ୍ରାସ କରିହେବ ବୋଲି ତାଙ୍କର ବିଶ୍ୱାସ। ତେବେ ‘ଇମାମ-ହାତିପ’ ସ୍କୁଲଗୁଡ଼ିକରେ ଉଚ୍ଚ ମାନର ଶିକ୍ଷା ଉପଲବ୍ଧ ଥିଲେ ମଧ୍ୟ ସାଧାରଣ ତୁର୍କୀମାନେ ସେମାନଙ୍କ ପିଲାମାନଙ୍କୁ ଧର୍ମନିରପେକ୍ଷ ପବ୍ଲିକ ସ୍କୁଲରେ ପଢ଼ାଇବାକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଶକ୍ତିଶାଳୀ ନେତାଟିଏ ଜାତୀୟତାବାଦ ଆଳରେ ନିଜ ବିଚାରଧାରାର ପ୍ରସାର ପାଇଁ ଶିକ୍ଷା ବ୍ୟବସ୍ଥାକୁ କିପରି କରାୟତ୍ତ କରି ରଖିବାକୁ ଚାହେଁ, ଇଏ ତା’ର ଏକ ପ୍ରକୃଷ୍ଟ ଉଦାହରଣ। ପ୍ରାୟ ୧୦୦ ବର୍ଷ ତଳେ ତୁର୍କୀକୁ ଏକ ଧର୍ମ ନିରପେକ୍ଷ ଦେଶରେ ପରିଣତ କରିଥିବା କେମାଲ ଆଟାଟର୍କଙ୍କ ଶାସନ ମଡ଼େଲକୁ ସୁଚିନ୍ତିତ ଭାବେ ସେ ଭାଙ୍ଗିବାର ଉଦ୍ୟମ କରି ଚାଲିଛନ୍ତି। ‘ନିଉ ଟର୍କି’ର ସ୍ଳୋଗନ ମାଧ୍ୟମରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଜାତୀୟତାବାଦ ଉଦ୍ରେକର ପ୍ରଚେଷ୍ଟା ହେଉଛି। ବସ୍ତୁତଃ ସେ ଓଟୋମାନ ସାମ୍ରାଜ୍ୟର ପୁନଃଜାଗରଣ ଉଦ୍ଦେଶ୍ୟରେ ତୁର୍କୀ ସାମ୍ରାଜ୍ୟର ନବଜନ୍ମର ପରିକଳ୍ପନାକୁ ରୂପ ଦେବାକୁ ବ୍ୟଗ୍ର।
ତୁର୍କୀ ପାକିସ୍ତାନର ନିକଟତର ହେବା ସହିତ କାଶ୍ମୀର ପ୍ରସଙ୍ଗରେ ଏର୍ଦୋଆନଙ୍କ ଭାରତ ବିରୋଧୀ ମନୋଭାବ ଓ ଆଚରଣ ବେଶ ସ୍ପଷ୍ଟ। ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ମିଟ)ର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ‘ହ୍ୱାଏ ନ୍ୟାସନସ୍ ଫେଲ୍’ ପୁସ୍ତକର ସହ ରଚୟିତା ତେରାନ ଆଜେମୋଲୁଙ୍କ ମତରେ ଏର୍ଦୋଆନ ଯେଉଁ ରଣନୀତିର ଅନୁସରଣ କରନ୍ତି ସେଥିରେ ଧ୍ରୁବୀକରଣକୁ ଏକ ଆୟୁଧ ରୂପେ ବ୍ୟବହାର କରାଯାଇଥାଏ। ଏହା ଜାତୀୟତାବାଦର ଅନୁଭବ ଓ ପ୍ରସାର ଉପରେ ପର୍ଯ୍ୟବସିତ। ଏହା ବିରୋଧୀଙ୍କୁ ଶତ୍ରୁ, ଏପରିକି ରାକ୍ଷସ ରୂପରେ ପ୍ରସ୍ତୁତ କରିଥାଏ। ଏହା ଅସତ୍ୟ ସୂଚନାର ପ୍ରସାର ଉପରେ ନିର୍ଭର କରିଥାଏ। ବସ୍ତୁତଃ ଏର୍ଦୋଆନଙ୍କ ଅନୁସୃତ ରଣନୀତି ସହ ଭାରତୀୟ ଓ ହଙ୍ଗେରିର ନେତୃତ୍ୱ ତଥା ଆମେରିକାର ଡୋନାଲଡ ଟ୍ରମ୍ପଙ୍କ ରଣନୀତିର ଅନେକ ସାମଞ୍ଜସ୍ୟ ରହିଛି ବୋଲି ଆଜେମୋଲୁଙ୍କ ମତ। ତୁର୍କୀ ନିର୍ବାଚନରେ ଏର୍ଦୋଆନଙ୍କ ବିଜୟରେ ଯେଉଁ ବାର୍ତ୍ତାଟି ସୁସ୍ପଷ୍ଟ, ତାହା ହେଉଛି ସେହି ଧରଣର ନକାରାତ୍ମକ ରଣନୀତି ଏବେ ବି ତା’ର ପ୍ରାସଙ୍ଗିକତା ହରାଇନାହିଁ। ଏହା ବିଶ୍ୱର ଅନ୍ୟାନ୍ୟ ଅନେକ ରାଷ୍ଟ୍ରଙ୍କ ଲାଗି ଆଦୌ ସୁସମାଚାର ହୋଇନପାରେ। ଦେଶର ନେତା ଶକ୍ତିଶାଳୀ ହେଲେ ଯେ ଦେଶ ଶକ୍ତିଶାଳୀ ହେବ, ତାହା ହୁଏତ ଠିକ୍ ହୋଇ ନପାରେ। ଏର୍ଦୋଆନଙ୍କ ପରି ଶକ୍ତିଶାଳୀ ନେତାଙ୍କ ଆବିର୍ଭାବ ପରେ ଯେ ତୁର୍କୀରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଅନୁଷ୍ଠାନଗୁଡ଼ିକର ଅବକ୍ଷୟ ହୋଇ ସେଠାକାର ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ଦେଶ ସେପରି ଅଗ୍ରସର ହୋଇପାରିନାହିଁ, ତାହା ହିଁ ତା’ର ବଳିଷ୍ଠ ପ୍ରମାଣ।
ସରଳ କୁମାର ଦାସ
ଭୁବନେଶ୍ଵର, ମୋ - ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।