Advertisment

ଋଣ କରି କମ୍ପାନୀ ପୋଷୁଛନ୍ତି ସରକାର

ଭୁବନେଶ୍ୱର(ଓଡିଶା ରିପୋର୍ଟର) ବିଦ୍ୟୁତ କମ୍ପାନୀଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱବ୍ୟାଙ୍କରୁ ଋଣ ଉଠାଉଛନ୍ତି। ସେପଟେ ଓଇଆରସିର ବାରମ୍ବାର ତାଗିଦ ସତ୍ତ୍ୱେ ବିତରଣ କମ୍ପାନୀଗୁଡିକ ପରିବହନ ଜନିତ କ୍ଷତି କମ କରୁନାହାନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହାୟତା ସତ୍ୱେ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ବିତରଣ ଓ ପରିବହନ ଜନିତ କ୍ଷତିକୁ ଆଶାନୁରୂପ ଭାବେ ହ୍ରାସ କରିପାରୁ ନାହାନ୍ତି । ଗତ ୧୦ବର୍ଷ ମଧ୍ୟରେ ଦୁଇଟି କମ୍ପାନୀର କ୍ଷତି ପରିମାଣ ଏବେ ବି ୨୦ ପ୍ରତିଶତ ଉପରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଋଣ କରି କମ୍ପାନୀ ପୋଷୁଛନ୍ତି ସରକାର

odisha1

ଭୁବନେଶ୍ୱର(ଓଡିଶା ରିପୋର୍ଟର) ବିଦ୍ୟୁତ କମ୍ପାନୀଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱବ୍ୟାଙ୍କରୁ ଋଣ ଉଠାଉଛନ୍ତି। ସେପଟେ ଓଇଆରସିର ବାରମ୍ବାର ତାଗିଦ ସତ୍ତ୍ୱେ ବିତରଣ କମ୍ପାନୀଗୁଡିକ ପରିବହନ ଜନିତ କ୍ଷତି କମ କରୁନାହାନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହାୟତା ସତ୍ୱେ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ବିତରଣ ଓ ପରିବହନ ଜନିତ କ୍ଷତିକୁ ଆଶାନୁରୂପ ଭାବେ ହ୍ରାସ କରିପାରୁ ନାହାନ୍ତି । ଗତ ୧୦ବର୍ଷ ମଧ୍ୟରେ ଦୁଇଟି କମ୍ପାନୀର କ୍ଷତି ପରିମାଣ ଏବେ ବି ୨୦ ପ୍ରତିଶତ ଉପରେ ରହିଛି । ବିତରଣ ଓ ପରିବହନ ଜନିତ କ୍ଷତି କମାଇବାପାଇଁ ରାଜ୍ୟ ସରକାର ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକୁ ବିଶ୍ୱବ୍ୟାଙ୍କରୁ ଋଣ ଆଣି ଯୋଗାଇବା ସହିତ ଅନ୍ୟାନ୍ୟ ଯୋଜନାରେ ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ କମ୍ପାନୀମାନେ ଯେଉଁ ହାରରେ କ୍ଷତି ହ୍ରାସ କରିବା କଥା ତାହା କରିପାରୁନଥିବା ଲକ୍ଷ୍ୟ କରାଯାଉଛି । ୨୦୧୦-୧୧ ବର୍ଷରେ ସେସୁ (ବର୍ତ୍ତମାନର ଟିପିସିଓଡିଏଲ୍‍) ର ବିତରଣ ଓ ପରିବହନ ଜନିତ କ୍ଷତି ପରିମାଣ ୫୧.୬୩ ପ୍ରତିଶତ ରହିଥିବାବେଳେ ତାହା ହ୍ରାସ ପାଇ ଏବେ ୨୩.୧୫ ପ୍ରତିଶତରେ ପହଞ୍ଚିଛି । ସେହିଭଳି ସାଉଥ୍‌କୋର ଏହି କ୍ଷତି ଗତ ୧୦ବର୍ଷ ମଧ୍ୟରେ ୪୮.୨୦ ପ୍ରତିଶତରୁ ୨୪.୪୭ ପ୍ରତିଶତକୁ ହ୍ରାସ ପାଇଛି ।

Advertisment

ତେବେ ନେସ୍କୋ ଓ ୱେସ୍କୋ ଏ କ୍ଷେତ୍ରରେ କିଛିଟା ଆଖିଦୃଶିଆ ସଫଳତା ହାସଲ କରିପାରିଛନ୍ତି । ନେସ୍କୋର ବିତରଣ ଓ ପରିବହନ ଜନିତ କ୍ଷତି ଏହି ସମୟ ମଧ୍ୟରେ ୩୨.୨୦ ପ୍ରତିଶତରୁ ହ୍ରାସ ପାଇ ୧୩.୧୯ ପ୍ରତିଶତରେ ପହଞ୍ଚି ଥିବାବେଳେ ୱେସ୍କୋର କ୍ଷତି ୩୮.୦୫ ପ୍ରତିଶତରୁ ଆସି ୧୮.୭୩ ପ୍ରତିଶତରେ ପହଞ୍ଚିଛି । ଓଡିଶା ବିଦ୍ୟୁତ୍‍ ପରିବହନ ନିଗମ ଲିମିଟେଡ (ଓପିଟିସିଏଲ୍‍) କ୍ଷତି ୧୦ବର୍ଷ ମଧ୍ୟରେ ୩.୯୩ ପ୍ରତିଶତରୁ ଆସି ୩.୨୪ ପ୍ରତିଶତରେ ପହଞ୍ଚିଛି ।

ବିତରଣ ଓ ପରିବହନ ଜନିତ କ୍ଷତିପାଇଁ ଦୁର୍ବଳ ଗ୍ରିଡ୍‍ ବ୍ୟବସ୍ଥା ସାଙ୍ଗକୁ ପୁରୁଣାକାଳିଆ ବିଦ୍ୟୁତ୍‍ ତାର ଓ ଅନ୍ୟାନ୍ୟ ସାଜ ସରଞ୍ଜାମକୁ ଦାୟୀ କରାଯାଉଛି । ତେବେ ପରିସ୍ଥିତିରେ ସୁଧାର ଆଣିବାପାଇଁ ରାଜ୍ୟ ସରକାର ନବେ ଦଶକରେ ବିଶ୍ୱବ୍ୟାଙ୍କରୁ ପ୍ରାୟ ହଜାରେ କୋଟି ଟଙ୍କା ଋଣ ଆଣି ୪ଟି ବିଦ୍ୟୁତ୍‍ ବିତରଣ କମ୍ପାନୀକୁ ଦେବା ସହିତ ଯେତେ ଅଧିକ କ୍ଷତି କମାଇବେ ସେତେ କମ୍‍ ପରିମାଣର ସୁଧ ଦେବାର ସର୍ତ୍ତ ଥିଲା । ହେଲେ କ୍ଷତି ତ କମିଲା ନାହିଁ, ବରଂ କମ୍ପାନୀମାନଙ୍କୁ ଦିଆଯାଇଥିବା ଅର୍ଥର ସୁଧ ମୂଳ ମିଶି ୩ହଜାର କୋଟି ଟଙ୍କାକୁ ଟପିଯାଇଛି ।

Advertisment

ବିତରଣ ଓ ପରିବହନ ଜନିତ କ୍ଷତି ସହିତ ବିଦ୍ୟୁତ୍‍ ଚୋରି କ୍ଷତି ଗ୍ରାହକଙ୍କୁ ଭରଣା କରିବାକୁ ପଡୁନାହିଁ ବୋଲି ସରକାର କହୁଛନ୍ତି । ଏହି ଅର୍ଥ କମ୍ପାନୀଗୁଡିକ ବହନ କରୁଥିବା କୁହାଯାଉଥିଲେ ମଧ୍ୟ କମ୍ପାନୀଗୁଡିକ ନିଜର ଆର୍ଥିକ ସ୍ଥିତି ବିଗୁଡୁଥିବା ଦର୍ଶାଇ ବାରମ୍ବାର ବିଦ୍ୟୁତ୍‍ ଦର ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଆବେଦନ କରୁଛନ୍ତି । ତେଣୁ ବିଜୁଳି ଚୋରି ସମେତ ବିତରଣ ପରିବହନ ଜନିତ କ୍ଷତି କିଭଳି ହ୍ରାସ ପାଇବ ଓ ଏ ବାବଦରେ ବିତରଣ କମ୍ପାନୀଗୁଡିକୁ ଦିଆଯାଇଥିବା ଋଣ ଅର୍ଥ ଆଦାୟ ହେବ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ପ୍ରକାଶ ପାଉଛି ।

ପଢନ୍ତୁ : ବିପୁଳ ପରିମାଣର ବାଣ ଜବତ

Odisha News Odia News