କ୍ରିକେଟର୍ ହେବାକୁ ଇଚ୍ଛା ଥିଲା, କିନ୍ତୁ ୧୫୦ ଟଙ୍କାରେ ବନିଲେ କମେଣ୍ଟେଟର୍

ଯେଉଁଠି କ୍ରିକେଟ୍‌କୁ ଧର୍ମ। ଯେଉଁଠି କ୍ରିକେଟ୍‌ର ପାଇଥାଏ ଭଗବାନର ଦରଜା। ଯେଉଁଠି ଖେଳ ଦେଖିବା ପାଇଁ ଫ୍ୟାନ ପାଗଳ। ଦେଶ ଆଉ କେଉଁଥିରେ ଜିତୁ କି ନ ଜିତୁ, ହେଲେ କ୍ରିକେଟରେ ନ ହାରୁ। ଏଭଳି ଜୋଶ୍ ଆଉ କେଉଁଠି ନୁହେଁ କେବଳ ଭାରତରେ ଦେଖିବାକୁ ମିଳେ। ଆଉ ଭାରତରେ କ୍ରିକେଟ୍‌କୁ ଅଧିକ ଜୀବନ୍ତ କରିଥାଏ ଏହାର କମେଣ୍ଟ୍ରୀ। ହିନ୍ଦୀ କମେଣ୍ଟ୍ରୀ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ସୁଶୀଲ ଦୋଷୀ। ଯାହାଙ୍କ କମେଣ୍ଟ୍ରୀ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲା। ଏହି ମହାନ ହିନ୍ଦୀ କମେଣ୍ଟେଟର୍‌ଙ୍କ  ସହ ଭବାନୀ ଶଙ୍କର ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: କ୍ରିକେଟରେ ବହୁତ ଫରକ ଆସିଛି। କିନ୍ତୁ ଫରକ ଆସିନି ସୁଶୀଲ ଦୋଷୀ କମେଣ୍ଟ୍ରୀରେ। ଏବେ ବି ସେହି ଅନ୍ଦାଜ, ସେହି ଷ୍ଟାଇଲ, ସେହି ଜୋଶ। କେମିତି ସମ୍ଭବ ହେଉଛି ଏ ସବୁ?

ଉତ୍ତର- ଇଶ୍ୱର କାମ ଦେଲେ। ବାପା ମା ଆଶୀର୍ବାଦ ଦେଲେ, ନିଜେ ବହୁତ ପରିଶ୍ରମ କରିଛି। ଆପଣଙ୍କୁ ଧନ୍ୟବାଦ ଦେଉଛି, ଆପଣ ମୋତେ ସେହି ସ୍ତରର ଭାବୁଛନ୍ତି। କମେଣ୍ଟେଟର ହେବାର ପ୍ରେରଣା ମୁସ୍ତାକ ଅଲ୍ଲୀଙ୍କ ଠାରୁ ପାଇଥିଲି। ସେ ମୋତେ କହୁଥିଲେ ଯାହା ବି କରୁଛୁ ହୃଦୟରୁ କର। ଇଶ୍ୱର ଲତା ମଙ୍ଗେସକରଙ୍କୁ ଗୀତ ଗାଇବା ପାଇଁ, ମୋତେ କ୍ରିକେଟ ଖେଳିବା ପାଇଁ ଏବଂ ଆପଣଙ୍କୁ କ୍ରିକେଟ୍ କମେଣ୍ଟ୍ରି ପାଇଁ ପଠାଇଛନ୍ତି। ତେଣୁ ଯାହା ବି କର ହୃଦୟରୁ କର। ତାହା ହିଁ ଚେଷ୍ଟା କରୁଛି। ବାସ୍ ତା ପରଠାରୁ ଯେତେବେଳେ ବି କମେଣ୍ଟ୍ରି କରେ ସବୁବେଳେ ତାର ମଜା ଉଠାଏ ଏବଂ ହୃଦୟରୁ କରିଥାଏ। ବାସ୍ ଆପଣଙ୍କ ଭଲ ପାଇବା ଯୋଗୁ ସୁଶୀଲ ଦୋଷୀ ତିଆରି ହୋଇଛି।

ପ୍ରଶ୍ନ: କେମିତି ଏହି କ୍ଷେତ୍ରରେ ପ୍ରବେଶ ହୋଇଥିଲା?

ଉତ୍ତର- ୧୯୬୮ରେ ୧୯ ବର୍ଷ ବୟସରେ ପ୍ରଥମେ କମେଣ୍ଟ୍ରୀ କରିଥିଲି। ତା’ ପୂର୍ବରୁ କ୍ରିକେଟ୍ କମେଣ୍ଟ୍ରୀ ବାବଦରେ ଏତେଟା ଜାଣି ନଥିଲି। ରେଡିଓରେ ଅମିନ ସାୟାନିଙ୍କ କ୍ରେଜ ବହୁତ ଥିଲା। ମୁଁ ତାଙ୍କୁ ଦେଖି ବହୁତ ପ୍ରଭାବିତ ହେଲି। ସେହିଠାରୁ ହିଁ ମୋର କ୍ୟାରିୟର ଆରମ୍ଭ କରିଥିଲି। ରବି ଚତୁର୍ବେଦୀ, ନରୋତ୍ତମ ପୁରୀ, ଯଶଦେବ ସିଂ, ଏମାନେ କମେଣ୍ଟ୍ରୀ କରୁଥିଲେ। ଆମର ବିଶେଷତ୍ତ୍ୱ ହେଉଛି, ଆମେ କାହାର ନକଲ କରୁନଥିଲୁ। ଆମର ଭାଷା ଏବଂ ଶୈଳୀକୁ ଲୋକ ପସନ୍ଦ କରୁଥିଲେ। ଟେଲିଭିଜନ ନ ଥିଲା। ରେଡିଓର କ୍ରେଜ ବହୁତ ଥିଲା। ରେଡିଓରେ ଯଦି ଅପରାହ୍ଣରେ କୌଣସି ପ୍ରୋଗ୍ରାମ ପ୍ରସାରିତ ହେଉଥିଲା, ସେତେବେଳେ ଆପଣଙ୍କର ବହୁତି ଲୋକପ୍ରିୟତା ବଢିଯାଉଥିଲା।

ପ୍ରଶ୍ନ: ଆଜିକାଲି ରେଡିଓ କମେଣ୍ଟ୍ରୀର ଟିକେ ଲୋକପ୍ରିୟତା କମିଯାଇଛି। ଏହାର କଣ କାରଣ?

ଉତ୍ତର- ନାଁ, ରେଡିଓର ଲୋକପ୍ରିୟତା ରହିଛି, ନିଜର ସ୍ଥାନ ରହିଛି ଏବଂ ରହିବ ମଧ୍ୟ। କାରଣ ଲୋକ ଯିବା ଆସିବା ସମୟରେ ଏବେ ବି ରେଡିଓ ଶୁଣୁଛନ୍ତି। ହଁ ଯେଉଁ ସ୍ତର ଥିଲା, କ୍ରିକେଟ୍ କମେଣ୍ଟ୍ରୀର ସେହି ସ୍ତର ରହିବା ଦରକାର।

ପ୍ରଶ୍ନ: ଆପଣଙ୍କର ଗଡ୍ ଫାଦର କିଏ?

ଉତ୍ତର- ମୋ ବାପାଙ୍କୁ ମୁଁ ମୋ ଗଡ ଫାଦର ମାନେ। ଯଦିଓ କ୍ରିକେଟରେ ତାଙ୍କର ରୁଚି ନଥିଲା, କିନ୍ତୁ ସେ ତାଙ୍କ ପୁଅକୁ ବହୁତ ଭଲ ପାଉଥିଲେ। ଯଦିଓ ମୁଁ ମଧବିତ୍ତ ପରିବାରୁ ଆସିଥିଲି କିନ୍ତୁ ତା ସତ୍ତ୍ୱେ ବାପା ମୋତେ ବହୁତ ସୁଯ଼ୋଗ ଦେଇଥିଲେ। ସାହିତ୍ୟ ପ୍ରତି ମୋର ବହୁତି ରୁଚି ଥିଲା। ମୁଁ ଇଞ୍ଜିନିୟରିଂ ଛାତ୍ର ଥିଲି। ତା’ପରେ ଉପନ୍ୟାସରେ ବହୁତ ପଢିଲି। ହିନ୍ଦୀ ଜ୍ଞାନ ବଢିଲା ଭାବନା ଜାଗ୍ରତ ହେଲା, ଆଗ୍ରହ ବଢିଲା। ବାସ୍ ତାପରେ କମେଣ୍ଟ୍ରୀ ଚାଲିଛି ଏବେ ପର୍ଯ୍ୟନ୍ତ। ନିକଟରେ ଇଣ୍ଡିଆ ଲିଜେଣ୍ଡର ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ କମେଣ୍ଟ୍ରୀ କରିଥିଲି।

ପ୍ରଶ୍ନ: ଭଲ କ୍ରିକେଟ୍ କମେଣ୍ଟେଟର ହେବା ପାଇଁ କଣ ସବୁ ଗୁଣ ଦରକାର?

ଉତ୍ତର- ଭଲ କମେଣ୍ଟେଟର ହେବା ପାଇଁ ଆପଣ ମିଠା କୁହନ୍ତୁ, କମ କୁହନ୍ତୁ, ସାର୍ଥକ କୁହନ୍ତୁ। କାହାକୁ ନକଲ କରନ୍ତୁ ନାହିଁ। ଭଲ ପାଆନ୍ତୁ ଯାହା ବି କରୁଛନ୍ତି। ଏସବୁର ସମ୍ମିଶ୍ରଣରେ ଆପଣ ଭଲ ଭାଷ୍ୟକାର ହୋଇପାରିବେ। ହଁ, ମୋତେ ପ୍ରଥମେ ମାତ୍ର ୧୫୦ ଟଙ୍କା ମିଳୁଥିଲା କମେଣ୍ଟ୍ରୀ କରିବା ପାଇଁ। ହିନ୍ଦୀ କମେଣ୍ଟ୍ରିକୁ ଯେଉଁମାନେ କ୍ୟାରିୟର ଭାବେ ଗଢ଼ିବାକୁ ଚାହୁଁଛନ୍ତି, ସେମାନେ ହିନ୍ଦୀ ଭାଷା ପ୍ରତି ପ୍ରଥମେ ଭଲ ପାଇବା ରଖନ୍ତୁ। ଶଦ୍ଦ ଉପରେ ପକଡ ରଖନ୍ତୁ। ହିନ୍ଦୀ କମେଣ୍ଟ୍ରୀରେ ବର୍ତ୍ତମାନ ସାହିତ୍ୟ କମିଯାଉଛି। ଖାସ୍ କରି ଟେଲିଭିଜନ କମେଣ୍ଟ୍ରୀରୁ ଭାଷା ଉପରେ ଜ୍ଞାନ କମିଯାଉଛି । ଭିଭିଏସ ଲକ୍ଷ୍ମଣ ହିନ୍ଦୀ କମେଣ୍ଟ୍ରି କରୁଛନ୍ତି। ତାଙ୍କର ଶିଖିବାର ବହୁତ ଆଗ୍ରହ। ମୋତେ ତାଙ୍କ ବିନମ୍ରତା ବହୁତ ଆକର୍ଷିତ କରିଛି। ସେ ନିଶ୍ଚୟ ଭଲ କମେଣ୍ଟ୍ରୀ କରୁଛନ୍ତି। ବର୍ତ୍ତମାନ ସୁନୀଲ ଗାଭାସ୍କରଙ୍କ କମେଣ୍ଟ୍ରୀ ମୋତେ ବହୁତ ଭଲ ଲାଗୁଛି। ପ୍ରଥମ କଥା ହେଉଛି ଆପଣଙ୍କ ଭିତରେ ଶିଖିବାର ଆଗ୍ରହ ରହିବା ଦରକାର।

ପ୍ରଶ୍ନ: କୁହାଯାଏ ସଂଗୀତରେ ଲତା, ରେଡିଓରେ ଅମିନ ସାୟାନି ଏବଂ କମେଣ୍ଟ୍ରୀରେ ସୁଶୀଲ ଦୋଷୀ, ଏମାନେ ଆଉଥିରେ ଜନ୍ମ ନେବେନି। ଏତେ ପ୍ରଶଂସା ଏବଂ ଲୋକପ୍ରିୟତା ପାଇବା ପରେ କେମିତି ଅନୁଭବ କରନ୍ତି?

ଉତ୍ତର- ଏହାକୁ ଶୁଣି ବହୁତ ଖୁସି ଲାଗେ। ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ଏହାକୁ ଶୁଣିଲା ପରେ ଅହଙ୍କାର ମୋତେ ସ୍ପର୍ଶ ନ କରୁ। ଯେଉଁମାନେ ଏତେ ଭଲ ପାଇବା ଦେଇଛନ୍ତି, ସେମାନଙ୍କ ନିକଟରେ କୃତଜ୍ଞତା ଜାହିର କରୁଛି।

ପ୍ରଶ୍ନ: କ୍ରିକେଟର ହେବାକୁ କେବେ ଇଛା ଥିଲା?

ଉତ୍ତର- ହଁ ଆରମ୍ଭରୁ କ୍ରିକେଟର ହେବାକୁ ଇଛା ତ ଥିଲା। ମଧ୍ୟବିତ୍ତ ପରିବାରରୁ ଆସିଥିଲି, ତେଣୁ କ୍ରିକେଟ୍ ଖେଳିବା ପାଇଁ ମୋ ପାଖରେ ପଇସା ନଥିଲା। ତେଣୁ ସେ ସ୍ୱପ୍ନ ପୂରଣ ହୋଇପାରିଲାନି।

ପ୍ରଶ୍ନ: ଜୀବନରେ କିଛି ଅବଶୋଷ ଅଛି କି?

ଉତ୍ତର- ମୋର କୌଣସି ଅବଶୋଷ ନାହିଁ। ମୁଁ ବହୁତ ସଂଘର୍ଷ କରିଛି। ଯେଉଁ ଜୀବନରେ ସଂଘର୍ଷ ନାହିଁ, ସେ ଜୀବନ ବା ଜୀବନ କଣ। ମୁଁ ଯାହା ପାଇଛି ସେଥିରେ ସନ୍ତୁଷ୍ଟ।

ପ୍ରଶ୍ନ: ଏମିତି କିଛି ଅଭୂଲା ମୁହୂର୍ତ୍ତ ରହିଛି ଆପଣଙ୍କର ଯାହାକୁ ନେଇ ଆପଣ ଗର୍ବିତ?

ଉତ୍ତର- ଇଂଲଣ୍ଡ ବିପକ୍ଷରେ ସୁନୀଲ ଗାଭାସ୍କରଙ୍କ ୨୨୧ ରନର ଇନିଂସ, ମୋର ସବୁଠାରୁ ଫେଭରିଟ୍ ଇନିଂସ। ସେ ସମୟରେ ମୁଁ ମୋ କମେଣ୍ଟ୍ରୀକୁ ବହୁତ ଉପଭୋଗ କରିଥିଲି। ଯାହା ମୋ ପାଇଁ ଆଜି ବି ସ୍ମରଣୀୟ ହୋଇ ରହିଛି।

ପ୍ରଶ୍ନ: ଆଜିକାର ସମୟରେ ଟେଷ୍ଟ କ୍ରିକେଟର ଚାହିଦା କମୁଛି କି?

ଉତ୍ତର- ଟେଷ୍ଟ ମ୍ୟାଚ୍ ଆସିଲେ ଆଗ୍ରହ ବଢ଼ିବ। ଟେଷ୍ଟ କ୍ରିକେଟ ହିଁ ଅସଲ କ୍ରିକେଟ୍। ତା’ର ମଜା କିଛି ଅଲଗା। ହଁ କିଛି ମାତ୍ରାରେ କ୍ରେଜ କମିଛି। ଏ କଥାକୁ ତ ସ୍ୱୀକାର କରିବାକୁ ପଡିବ।

ପ୍ରଶ୍ନ: ଆପଣଙ୍କ ପସନ୍ଦର ଖେଳାଳି କିଏ?

ଉତ୍ତର- ବିରାଟ କୋହଲି ମୋର ସବୁଠାରୁ ପସନ୍ଦର ଖେଳାଳି। ରନ କରିବାର ଭୋକ ତାଙ୍କ ପାଖରେ ଅଛି, ଯାହା ଗାଭାସ୍କରଙ୍କ ପାଖରେ ଥିଲା। ପ୍ରତିପକ୍ଷ ବୋଲରଙ୍କୁ ସେ କେବେବି ନିଜର ଦୁର୍ବଳତା ଖୋଜିବା ପାଇଁ ସୁଯୋଗ ଦିଅନ୍ତି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।