Advertisment

ରୋଲ୍‌-କ୍ୟାମେରା-ଆକ୍ସନ ମୋଡରେ ପାଣ୍ଡିଆନଙ୍କ ପ୍ରଚାର: ମୂକ ସାଜିଛନ୍ତି ବରିଷ୍ଠ ନେତା, ଉଗ୍ର ହେଉଛି ବିଜେଡି ଅସନ୍ତୋଷ

ହିନ୍ଦି ଫିଲ୍ମ ‘ନାୟକ’ର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭାବେ ଅନୀଲ କାପୁରଙ୍କ ଅଭିନୟ ଠାଣିରେ ପାଣ୍ଡିଆନ ଏବେ ଆତ୍ମଘୋଷିତ ବିଜେଡି ସୁପ୍ରିମୋ ଓ ରାଜ୍ୟ ପ୍ରଶାସନର ମୁଖ୍ୟ ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ।

author-image
Ordigital Desk
undefined

Pandian

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରକୁ ‘ଆଉଟସୋର୍ସିଂ’ରେ ଦେଇଛନ୍ତି ତଥା ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ କେହି ‘ସୁପରସିଏମ’ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମଥର ପାଇଁ ସିଧାସଳଖ ଶାଣିତ କଟାକ୍ଷ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଆଉ ଏପଟେ  ବିଜେଡିର ନିର୍ବାଚନୀ ପ୍ରଚାର ‘ରୋଲ୍‌-କ୍ୟାମେରା-ଆକ୍ସନ’ ମୋଡ ମଧ୍ୟରେ ସୀମିତ ରହିଛି । ତଥାକଥିତ ଆତ୍ମଘୋଷିତ ଉତ୍ତରାଧିକାରୀ ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନଙ୍କ କାନ୍ଧରେ ପ୍ରଚାର ଦାୟିତ୍ୱ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନୀ ବୈତରଣୀ ପାର ହେବାକୁ କରିଥିବା ବ୍ଲୁ-ପ୍ରିଣ୍ଟକୁ ନେଇ ଦଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଶେଷକରି ବିଜେପିର ଶୀର୍ଷନେତୃତ୍ୱଙ୍କ ସମେତ ଆଜି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଶାଣିତ ସମାଲୋଚନା କରି ନବୀନଙ୍କ ଅସହାୟତାର ଉଜାଗର କରିଛନ୍ତି । ଆଉ ଦଳର ପୁରୁଖା ନେତାଙ୍କ ସମେତ ଅନ୍ୟ ନେତାମାନଙ୍କୁ ଅଣଦେଖା କରି ବିଜେଡିର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ହାଇଜ୍ୟାକ୍ କରି ପାଣ୍ଡିଆନ ନିଜର ରାଜନୀତିକ ମହତ୍ୱାକାଂକ୍ଷାକୁ ପୂରଣ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ଅଣଓଡ଼ିଆ କର୍ମୀ ପାଣ୍ଡିଆନଙ୍କ କାନ୍ଧରେ ବିଜେଡିର ନିର୍ବାଚନୀ ପ୍ରଚାର ରହିଛି । ଦଳର ପୁରୁଖା ନେତା ପ୍ରଫୁଲ୍ଲ ଘଡ଼େଇ, ଏୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ବହୁ ନେତା ଥିଲେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ସେମାନଙ୍କୁ ରାଜ୍ୟସ୍ତରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିନି । ଦଳର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି । ଏପରିକି ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷାକୁ ସଫଳ କରିବା ପାଇଁ ବିଜେଡି ନିଜର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ସକ୍ଷମ ହେଉନଥିବା ଜଣାପଡ଼ିଛି।  ବ୍ୟୟବହୁଳ ଇଭେଣ୍ଟ ମ୍ୟାନେଜମେଂଟ ସଂସ୍ଥା ଦ୍ୱାରା ରାଜ୍ୟବ୍ୟାପୀ ଆୟୋଜିତ ନିର୍ବାଚନୀ ସଭା, ରୋଡ୍ ଶୋ’ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡିର ନିର୍ବାଚନୀ ପ୍ରଚାରର ମଙ୍ଗ ପାଣ୍ଡିଆନ ଧରିଛନ୍ତି । ରୋଡ୍ ଶୋ’ ଓ ପ୍ରଚାରବେଳେ ଦଳର କୌଣସି ବରିଷ୍ଠ ନେତା କିମ୍ବା ଆଗଧାଡ଼ିର ନେତାଙ୍କୁ ତାଙ୍କ ସହ ଦେଖିବାକୁ ମିଳୁନି ।

ପାଣ୍ଡିଆନ ଏବେ ‘ରୋଲ୍‌-କ୍ୟାମେରା ଆକ୍ସନ’ ମୋଡରେ ଇଭେଣ୍ଟ ମ୍ୟାନେଜମେଂଟ ସଂସ୍ଥାର ସହଯୋଗରେ ନିଜର ରାଜନୀତିକ ଡେବ୍ୟୁ କରୁଛନ୍ତି । କୌଣସି ଫିଲ୍ମରେ ଯେଭଳି ଅଭିନୟ କରାଯାଏ ଠିକ୍ ସେହି ଢଙ୍ଗରେ ପାଣ୍ଡିଆନ କ୍ୟାମେରା ଦେଖିବା ମାତ୍ରେ ନବୀନ ପଟ୍ଟନାୟକଙ୍କ ‘ଆତ୍ମଘୋଷିତ ରାଜନୀତିକ ଉତ୍ତରାଧିକାରୀ’ ଭାବେ ନିଜକୁ ପ୍ରତିପାଦନ କରିବାକୁ ପଛାଉନାହାନ୍ତି । ପାଣ୍ଡିଆନଙ୍କ ବାଇକ ଚଳାଇବାର ଭିଡିଓ, ରୋଡ୍ ଶୋ’ ଭିଡିଓ, ସେଲଫି ନେବା ଭିଡିଓ ଆଦିକୁ ବହୁଳ ଭାବେ ଦଳୀୟ କର୍ମୀଙ୍କ ମହଲରେ ଶେୟାର କରିବାକୁ ମଧ୍ୟ ଚାପ ପକାଯାଇ ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରାଯିବାର ପ୍ରୟାସ ହେଉଥିବା ଜଣାପଡ଼ିଛି ।

Advertisment

ହିନ୍ଦି ଫିଲ୍ମ ‘ନାୟକ’ର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭାବେ ଅନୀଲ କାପୁରଙ୍କ ଅଭିନୟ ଠାଣିରେ ପାଣ୍ଡିଆନ ଏବେ ଆତ୍ମଘୋଷିତ ବିଜେଡି ସୁପ୍ରିମୋ ଓ ରାଜ୍ୟ ପ୍ରଶାସନର ମୁଖ୍ୟ ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ନବୀନଙ୍କ ଆତ୍ମଘୋଷିତ ରାଜନୀତିକ ଉତ୍ତରାଧିକାରୀ ଭାବେ ସେ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ଏଭଳି କରି ପାଣ୍ଡିଆନ ରାଜ୍ୟବାସୀ ଓ ରାଜନୀତିକ ଦଳଗୁଡ଼ିକୁ ସ୍ପଷ୍ଟ ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି । ସେ ହିଁ ନବୀନଙ୍କର ପ୍ରକୃତ ଉତ୍ତରାଧିକାରୀ ଭାବେ ଉଭୟ ସରକାର ଓ ବିଜେଡିର ନେତୃତ୍ୱ ନେବେ,ଆଉ ଏହି ନିର୍ବାଚନୀ ପ୍ରଚାର ମାଧ୍ୟମରେ ତାଙ୍କର ‘ଉତ୍ତରାଧିକାରୀତ୍ୱ’କୁ ମଧ୍ୟ ରାଜ୍ୟବାସୀଙ୍କ ମୋହର ମିଳିଛି ବୋଲି  ସନ୍ଦେଶ ଦେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ଇଭେଣ୍ଟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ସଭା ଓ ରୋଡ୍ ଶୋ’ ଆଦି କାର୍ଯ୍ୟକ୍ରମ ହେଉଥିବାରୁ ସ୍ଥାନୀୟ ଦଳୀୟ ନେତା ଓ କର୍ମୀଙ୍କ ବିଶେଷ ଭାଗିଦାରୀ ବି ରହିପାରୁନି । ଯେଉଁଥିପାଇଁ ସ୍ଥାନୀୟ କର୍ମୀ ଓ ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ନିଜ ଅଂଚଳରେ ନିର୍ବାଚନୀ ସଭାସମିତି ପାଇଁ ମଂଚ ବାନ୍ଧିବାଠୁ ଆରମ୍ଭ କରି ଲୋକଙ୍କୁ ଆଣିବା ଦାୟିତ୍ୱ ତୁଲାଇ କର୍ମୀ ଓ ଆଗଧାଡ଼ିର ନେତାମାନେ ନିଜର ପତିଆରା ଦେଖାଇଥାନ୍ତି । ମାତ୍ର ବ୍ୟୟବହୁଳ ଇଭେଣ୍ଟ ମ୍ୟାନେଜମେଂଟ ସଂସ୍ଥା ଦ୍ୱାରା ସେସବୁ କାର୍ଯ୍ୟ ହେଉଥିବାରୁ ସ୍ଥାନୀୟ କର୍ମୀ ଓ ନେତାମାନଙ୍କ ସମ୍ପୃକ୍ତି ରହୁଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି । ଦକ୍ଷିଣ ଓ ପଶ୍ଚିମଓଡ଼ିଶାରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଏବେ ତୀବ୍ର ହେବାରେ ଲାଗିଛି ।

ପାଣ୍ଡିଆନଙ୍କ ଏଭଳି ଉପସ୍ଥିତିକୁ ନେଇ ସ୍ଥାନୀୟ ଅଂଚଳରେ ସାଧାରଣ ଲୋକ ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲେ ମଧ୍ୟ ସେଥିପ୍ରତି ଦଳ ଗୁରୁତ୍ୱ ଦେଉନି । ପାଣ୍ଡିଆନ ନିଜର କିଛି ଚାଟୁକାରଙ୍କ ସାର୍ଟିଫିକେଟରେ ଉତ୍ସାହିତ ହୋଇ ଏବେ ଦିନକୁ ୪ରୁ ୫ଟି ନିର୍ବାଚନୀ ସଭାରେ ସାମିଲ ହେବାକୁ ପଛାଉନାହାନ୍ତି । ନିର୍ବାଚନୀ ସରଗରମ ସତ୍ତ୍ୱେ ନବୀନ ପଟ୍ଟନାୟକ କେବଳ ଏପର୍ଯ୍ୟନ୍ତ ୩ଥର ନିର୍ବାଚନୀ ସଭାରେ ସାମିଲ ହେବା ଓ ଏହାର ସୁଯୋଗରେ ବିଜେପି ନେତାମାନଙ୍କ ବାରମ୍ବାର ଶାଣିତ ସମାଲୋଚନା ବିଜେଡିର ଆଗଧାଡ଼ିର ନେତାମାନଙ୍କୁ  କ୍ଷୁବ୍ଧ କରିଛି । ସ୍ୱାଭିମାନୀ ଓଡ଼ିଆଙ୍କ ଆଗରେ ପାଣ୍ଡିଆନ ନିଜକୁ ଅତି ଦକ୍ଷ ଓ ଏକମାତ୍ର ‘ଭୋଟପୁଲର’ ଭାବେ ପ୍ରଦର୍ଶିତ କରି ଦଳରେ ଅନ୍ୟମାନଙ୍କୁ ଗୌଣ କରି କେହି ଗ୍ରହଣୀୟ ନଥିବାର ସନ୍ଦେଶ ଦେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାଣିତ ସମାଲୋଚନାକୁ ପାଣ୍ଡିଆନ ଯେଭଳି ଢଙ୍ଗରେ କାଉଣ୍ଟର କରୁଛନ୍ତି ତାହା ଭବିଷ୍ୟତରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ବେଶ୍ ମହଙ୍ଗା ପଡ଼ିବ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ପାଣ୍ଡିଆନଙ୍କ ରାଜନୀତିକ ଅପରିପକ୍ୱତା ହିଁ ଗଦାଗଦା ଦୁର୍ନୀତି ଉପରେ ବସିଥିବା ରାଜ୍ୟର ବିଜେଡି ସରକାରକୁ ଆଗାମୀ ଦିନରେ ଭୋଗିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

BjD General Election Vk Pandian 2024 General Election