ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? କେନ୍ଦ୍ରକୁ ‘ସୁପ୍ରିମ’ ନୋଟିସ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରିଛନ୍ତି। କେନ୍ଦ୍ର ସରକାର ଜବାବ ଦେବା ପରେ ସୁପ୍ରିମକୋର୍ଟ ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ବିଚାର କରିବେ।

ଆଜି ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ କରି ୪ ସପ୍ତାହ ମଧ୍ୟରେ ସମଲିଙ୍ଗୀ ବିବାହ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ମଧ୍ୟ କହିଛନ୍ତି। ହାଇଦ୍ରାବାଦରେ ରହୁଥିବା ଗେ’ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗେ’ ବିବାହକୁ ମଧ୍ୟ ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ଆଣିବାକୁ ଆବେଦନ କରିଛନ୍ତି। ଏହାର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ପ୍ରସଙ୍ଗ ସହ ଜଡ଼ିତ ଏକାଧିକ ଆବେଦନ ହାଇକୋର୍ଟଗୁଡ଼ିକରେ ମଧ୍ୟ ଶୁଣାଣି ପାଇଁ ପଡ଼ି ରହିଛି।

ଏହାଶୁଣି ବରିଷ୍ଠ ଆଇନଜୀବୀ ସଞ୍ଜୟ କିଶନ କୌଲ କହିଛନ୍ତି ଯେ କେନ୍ଦ୍ର ସରକାର କେରଳ ହାଇକୋର୍ଟଙ୍କୁ କହିଥିଲେ ଯେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ଦାବି ସହ ଜଡ଼ିତ ସବୁ ଆବେଦନ ଏଠାକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସବୁ ମାମଲା ଏଠାରେ ଶୁଣାଣି ହେଉ।

୨ ବର୍ଷ ହେଲା କେରଳ ହାଇକୋର୍ଟରେ ଏକାଧିକ ଆବେଦନ ପଡ଼ି ରହିଛି। ଏହା ଏକ ଜନସ୍ୱାର୍ଥ ମାମଲା। କାରଣ ଏହା ସହ ସାମ୍ବିଧାନିକ ଅଧିକାର ଜଡ଼ିତ ବୋଲି ଓକିଲ କୌଲ କହିଥିଲେ। ଏହାପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲି କେନ୍ଦ୍ର ସରକାରଙ୍କୁ ନୋଟିସ କରିବା ସହ ମାମଲା ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି।

ଆବେଦନକାରୀ ସୁପ୍ରିଓ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ ପ୍ରାୟ ୧୦ ବର୍ଷ ଧରି ଏକାଠି ରହି ଆସୁଛନ୍ତି। ସେମାନଙ୍କର ସମଲିଙ୍ଗୀ ସମ୍ପର୍କକୁ ସେମାନଙ୍କ ବାପା ମା’, ପରିବାର ଓ ସାଙ୍ଗମାନେ ମଧ୍ୟ ସମର୍ଥନ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ସ୍ୱତନ୍ତ୍ର ବିବାହ ଆଇନ ଭାରତର ସମ୍ବିଧାନର ବିରୋଧୀ। ଏହା ସମଲିଙ୍ଗୀ ଦମ୍ପତି ଓ ବିପରୀତ ଲିଙ୍ଗ ଦମ୍ପତିଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି। ଏହା ସମଲିଙ୍ଗୀ ଦମ୍ପତିମାନଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ସାମାଜିକ ସ୍ୱୀକୃତିରୁ ବଞ୍ଚିତ କରୁଛି।

ଆଉ ଜଣେ ସମଲିଙ୍ଗୀ ଦମ୍ପତି ମଧ୍ୟ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ LGTBQ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ଆଇନଗତ ମାନ୍ୟତା ଦେବାକୁ ଦାବି କରାଯାଇଛି। ପାର୍ଥ ଫିରୋଜ ମେହେରୋତ୍ରା ଓ ଉଦୟ ରାଜ ଆନନ୍ଦ ଗତ ୧୭ ବର୍ଷ ହେଲା ଏକାଠି ରହୁଛନ୍ତି। ସେମାନେ ଏବେ ଦୁଇ ପିଲାଙ୍କୁ ଏକାଠି ଲାଳନପାଳନ କରୁଛନ୍ତି। ହେଲେ ଆଇନଗତ ମାନ୍ୟତା ନଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।