Advertisment

୩ମାସ ପରେ ବି ଆରମ୍ଭ ହୋଇନି ବିଭାଗୀୟ ତଦନ୍ତ, କୁଟ୍ଟେ ଓ ଆଶିଷ ସିଂଙ୍କୁ ମିଳିଲା କି କ୍ଲିନଚିଟ୍ ?

ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଅଗଷ୍ଟ ୨୧ତାରିଖରେ ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।

author-image
Ordigital Desk
IPS

IPS

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ଦୁଇ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ କ୍ଲିନଚିଟ୍ । ଏପରିକି ଗତ ଅଗଷ୍ଟ ମାସରେ ଉଭୟ ଆଇପିଏସ ଅଫିସରଙ୍କୁ ଜାରି କାରଣଦର୍ଶାଅ ନୋଟିସର ଜବାବ ସେମାନେ ଦାଖଲ କରିବାର ପ୍ରାୟ ୩ମାସ ବିତିଲାଣି, ତଥାପି ସେମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାରର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିନଥିବା ଜଣାପଡ଼ିଛି । ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୁଦ୍ଧରେ ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଇପିଏସ୍ ଆଶିଷ ସିଂଙ୍କୁ ତତ୍କାଳ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ନିର୍ଦ୍ଦେଶ ଦେବାପରେ ତାଙ୍କୁ ରାଜ୍ୟ ସରକାର ଏପ୍ରକାର କ୍ଲିନଚିଟ୍ ଦେଇଥିବା ସ୍ପଷ୍ଟ ହୋଇଛି ।

Advertisment

ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଅଗଷ୍ଟ ୨୧ତାରିଖରେ ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ରାଜ୍ୟ ଗୃହ ସଚିବଙ୍କ ଦ୍ୱାରା ଜାରି ଏହି କାରଣଦର୍ଶାଅ ନୋଟିସର ଜବାବ ମଧ୍ୟ ଉଭୟ ଆଇପିଏସ୍ ନିର୍ଦ୍ଧାରିତ ଅବଧି ମଧ୍ୟରେ ଲିଖିତ ଭାବେ ଦାଖଲ କରିଛନ୍ତି । ସବର୍ଭାରତୀୟ ସେବାର କଣ୍ଡକ୍ଟ ରୁଲସ୍ -୧୯୬୮ର ରୁଲ-୩ ଓ ରୁଲ-୧୮ର ଉଲ୍ଲଘଂନ କରିବା ଅଭିଯୋଗରେ  ନିର୍ବାଚନ କମିଶନ ଦେଇଥିବା ପ୍ରମାଣ ଆଧାରରେ ଉଭୟଙ୍କୁ ନୋଟିସ୍ ଜାରି ହୋଇଥିଲା । ତେବେ କୌଣସି ଅଫିସରଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଯେଉଁ ପ୍ରକ୍ରିୟା ରହିଛି ତାହା ଏପର୍ଯ୍ୟନ୍ତ ଏମାନଙ୍କ କ୍ଷେତ୍ରରେ ଲାଗୁ ହୋଇନାହିଁ । ଏହି ଦୁଇ ଅଫିସରଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ସତ୍ୟାସତ୍ୟ ଯାଂଚ ଓ ପକ୍ଷ ରଖିବାର ସୁଯୋଗ ଦେବା ପାଇଁ ସରକାର ଜଣେ ବରିଷ୍ଠ ଅଫିସରଙ୍କୁ ‘ତଦନ୍ତକାରୀ ଅଫିସର’ ଭାବେ ନିଯୁକ୍ତି ଦେବାକଥା,ଯାହାକି କୁଟ୍ଟେ ଓ ଆଶିଷ ସିଂଙ୍କ କ୍ଷେତ୍ରରେ କରାଯାଇନାହିଁ ।

ଯଦିଓ ଇତିମଧ୍ୟରେ ୩ମାସ ବିତିଗଲାଣି । ତା’ଛଡ଼ା ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ୩ମାସ ପରେ ବିଭିନ୍ନ ଆଡ଼ୁ ଚାପ ପଡ଼ିବାରୁ ଏହି ଦୁଇ ଅଫିସରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ ବୋଲି ସେତେବେଳେ ପାୱାର କରିଡରରେ ଚର୍ଚ୍ଚା ହେଉଥିଲା । ତେଣୁ ଏବେ ଆଶୀଷ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବାପରେ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବା କିମ୍ବା କେନ୍ଦ୍ରୀୟ ଡେପୁଟେସନ ଉପରେ ଆପତ୍ତି ଉଠାଇବାର ସମ୍ଭାବନା କ୍ଷୀଣ ବୋଲି ପ୍ରକ୍ରିୟା ସହ ଜଡ଼ିତ ଥିବା ଗୃହ ବିଭାଗର ଏହି ଅଫିସର କହିଛନ୍ତି ।

Advertisment

ସୂଚନା ଅନୁସାରେ, ସାଧାରଣ ନିର୍ବାଚନବେଳେ ବିଜେଡି ପାଇଁ କାର୍ଯ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଉପରେ ଚାପ ପକାଇବାର ବଳିଷ୍ଠ ପ୍ରମାଣ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ରହିଛି । ରାଜ୍ୟର ଦୁଇ ଆଇଏଏସ୍ ଏନ.ଥିରୁମାଳା ନାଏକ(ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ) ଓ ଚଂଚଳ ରାଣା(ଜିଲ୍ଲାପାଳ) ଲିଖିତ ଭାବେ କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେଣୁ ସରକାର ଯଦି ‘ତଦନ୍ତକାରୀ ଅଫିସର’ଙ୍କୁ ନିଯୁକ୍ତି ଦେବେ ଓ ସେ ଉଭୟ ପକ୍ଷକୁ ଶୁଣିବା ପରେ ଶ୍ରୀ କୁଟ୍ଟେ ଦୋଷୀ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ କୁଟ୍ଟେଙ୍କ ବିରୁଦ୍ଧରେ ଯେଉଁ ଚାର୍ଜସିଟ୍ ରହିଛି ତାହା ଏହି ଦୁଇ ଆଇଏଏସ ଅଫିସରଙ୍କ ଲିଖିତ ଅଭିଯୋଗ ଆଧାରରେ ହୋଇଛି । ତେଣୁ ତଦନ୍ତକାରୀ ଅଫିସରଙ୍କ ପାଖରେ ସାକ୍ଷୀ ଦେବାବେଳେ ଏହି ଦୁଇ ଆଇଏଏସ୍ ନିଜ କଥାରୁ ଓହରିଗଲେ ସେମାନଙ୍କର କ୍ୟାରିୟର ଉପରେ କଳାଦାଗ ଲାଗିବାର ଆଶଙ୍କା ରହିଛି । ତେଣୁ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା କୁଟ୍ଟେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାପ ବଢ଼ିପାରେ ।  ବୋଧହୁଏ ଏହି କାରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ତଦନ୍ତକାରୀ ଅଫିସର ନିଯୁକ୍ତି ଦେଇନଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ, ଆଇପିଏସ୍ ଆଶିଷ ସିଂ ନିଜର ଦିଲ୍ଲୀ ଲିଙ୍କ୍ ଉପଯୋଗ କରି କେନ୍ଦ୍ରୀୟ ଡେପୁଟେସନ(ଭଲ ପୋଷ୍ଟିଂ)କୁ ଯିବାରେ ସକ୍ଷମ ହୋଇଥିବାବେଳେ କୁଟ୍ଟେ ଖୁବଶୀଘ୍ର ଡେପୁଟେସନ ଅବା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିପାରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ତେବେ ଆଶୀଷ ସିଂଙ୍କୁ ଦିଲ୍ଲୀରେ ନିଯୁକ୍ତିକୁ ନେଇ ଏବେ ପାୱାର କରିଡ଼ରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହା ପାଣ୍ଡିଆନଙ୍କୁ ଚେକ୍ ଦେବାକୁ ଉଦ୍ୟମ ବୋଲି ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଅନ୍ୟଗୋଟିଏ ଗୋଷ୍ଠୀ ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ଏସବୁ ମାର୍ଗ ପ୍ରଶସ୍ତ କରୁଥାଇପାରନ୍ତି ବୋଲି କହୁଥିବା ଚର୍ଚ୍ଚା ।

BjD Bjp